ଠିକାଦାରଙ୍କ ଠାରୁ ୧.୩୬ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଲେ କନିଷ୍ଠ ଯନ୍ତ୍ରୀ ଓ ସହଯୋଗୀ
(ରମେଶ ଅଗ୍ରୱାଲ.:ନିପ୍ର)
ଖଣ୍ଡପଡ଼ା,୧୮ |୫ (କ.ପ୍ର) ନୟାଗଡ ଅଞ୍ଚଳର ଜଣେ ଠିକାଦାରଙ୍କ ବିଲ ପାସ କରାଇ ଦେବା ବାବଦରେ ୧.୩୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଦ୍ବାରା ଗିରଫ ହୋଇଛନ୍ତି ଭାପୁର ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ସୁବୁଦ୍ଧି ଓ ତାଙ୍କ ସହଯୋଗୀ ଆଶୁତୋଷ ବଳିଆର ସିଂ। ଭିଜିଲାନ୍ସ ଟିମ ରବିବାର ସକାଳ ୯ ଟା ସମୟରେ ଖଣ୍ଡପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସରକାରୀ ବାସଭବନରେ ଅଚାନକ ଚଢାଉ କରି କନିଷ୍ଠ ଯନ୍ତ୍ରୀଙ୍କୁ କାବୁ କରି ଧରିବା ସହ ତାଙ୍କ ଠାରୁ ସମସ୍ତ ଟଙ୍କା ଜବତ କରିଥିବା ଜଣାଯାଇଛି। ପରେ ଭିଜିଲାନ୍ସ ଟିମ ଭାପୁରସ୍ଥିତ ଗ୍ରାମ୍ଯ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱରସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କ ବାସଗୃହ ସମେତ ପୈତୃକ ଗ୍ରାମରେ ଚଢାଉ କରି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଏକ ଗାଡି ଜବତ କରିଥିବା ସୂଚନା ମିଳିଛି। ପ୍ରକାଶଥାଉକି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା କାର୍ଯ୍ୟର ସିକ୍ୟୁରିଟି ବାବଦ ଜମା ଟଙ୍କା ଫେରସ୍ତ ଓ ବକେୟା ବିଲ ପାସ କରାଇବା ପାଇଁ ଠିକାଦାର ଶିବ ପ୍ରସାଦ ଖଣ୍ଡାଙ୍କ ଠାରୁ ସଂପୃକ୍ତ ଯନ୍ତ୍ରୀ ଜଣଙ୍କ ଲାଞ୍ଚ ବାବଦରେ ମୋଟା ଅଙ୍କର ଟଙ୍କା ଦାବି କରିଥିଲେ। ଏପରିକି ଟଙ୍କା ନ ଦେଲେ ବିଲ ପାସ କରିବେ ନାହିଁ ବୋଲି ରୋକଠୋକ ଶୁଣାଇବା ପରେ ଠିକାଦାର ଜଣକ ଏ ସଂର୍ପକରେ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ଭୁବନେଶ୍ବର ଓ ନୟାଗଡ ଭିଜିଲାନ୍ସ ଟିମ ମିଳିତ ଭାବେ ଚଢ଼ାଉ କରିଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି।ଗିରଫ କନିଷ୍ଠ ଯନ୍ତ୍ରୀ ଓ ସହଯୋଗୀଙ୍କୁ ଭିଜିଲାନ୍ସ ଟିମ ଭୁବନେଶ୍ବର ନେଇ ଯାଇଥିବା ବେଳେ ଏ ସଂର୍ପକରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।ଏହି ଘଟଣା ଏବେ ଖଣ୍ଡପଡା ଓ ଭାପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।(ନୟାଗଡ଼ ଜିଲାରୁ ଦୁର୍ଗା ପ୍ରସାଦଆଚାର୍ଯ୍ୟଙ୍କ ରିପୋର୍ଟ ସବୁଦିନ ଟିଭି)
