ମାଣିକଚନ୍ଦ ଅଗ୍ରୱାଲ କୁଳ ଗୌରବ ସମ୍ମାନରେ ସମ୍ମାନିତ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା : ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ଭବ୍ୟ ସମାରୋହରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ର ପ୍ରତିଷ୍ଠିତ ଶିଳ୍ପପତି ମାଣିକଚନ୍ଦ ଅଗ୍ରୱାଲଙ୍କୁ “କୁଳ ଗୌରବ ସମ୍ମାନ”ରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଟେନିସ ସେଣ୍ଟରରେ ଆୟୋଜିତ ବିଶେଷ ପୁରସ୍କାର ବିତରଣୀ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
ବିଶ୍ୱ ଓଡ଼ିଆ ପରିବାରର ଅଧ୍ୟକ୍ଷ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଧାନସଭା ଅଧ୍ୟକ୍ଷା ସୁରମା ପାଢ଼ୀ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ସାଂସଦ ବୈଜୟନ୍ତ ପଣ୍ଡା, ଭାଜପା କୋଷାଧ୍ୟକ୍ଷ ଅଜୟ ଅଗ୍ରୱାଲ ଏବଂ ମୁଖ୍ୟବକ୍ତା ଭାବେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇ ଉପସ୍ଥିତ ଥିଲେ ।
ଓଡ଼ିଶାର ଉନ୍ନତିରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ସମ୍ମାନ ସମାରୋହ ଆୟୋଜନ କରାଯାଇଥିଲା । ଏହି ଅବସରରେ ଜୁନାଗଡ଼ର ଭଗବତୀ ରାଇସ୍ ମିଲ୍ର ଅଧ୍ୟକ୍ଷ ମାଣିକଚନ୍ଦ ଅଗ୍ରୱାଲଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦ୍ୱିତୀୟ “କୁଳ ଗୌରବ ସମ୍ମାନ” ପ୍ରଦାନ କରାଯାଇଥିଲା ।
ଏହି ସମ୍ମାନ ପାଇବା ପରେ ଜୁନାଗଡ଼ ସହ ସମଗ୍ର କଳାହାଣ୍ଡି ଜିଲ୍ଲାର ବ୍ୟବସାୟିକ ଓ ସାମାଜିକ ମହଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।
