ଦେବଗଡ଼ ଜିଲ୍ଲାରେ “ଜନ ଭାଗିଦାରୀ – ସବସେ ଦୂର, ସବସେ ପେହେଲେ” ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଦେବଗଡ଼: ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ “ଜନ ଭାଗିଦାରୀ – ସବସେ ଦୂର, ସବସେ ପେହେଲେ” କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝିଙ୍କ ତତ୍ତ୍ୱାବଧାନରେ ଏବଂ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ଯେ, “ଜନ ଭାଗିଦାରୀ – ସବସେ ଦୂର, ସବସେ ପେହେଲେ” (IEC) ଅଭିଯାନ ଅନ୍ତର୍ଗତ ଆସନ୍ତା ୧୮.୦୫.୨୦୨୬ ରୁ ୨୫.୦୫.୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ତିନିଟି ବ୍ଲକରେ ପ୍ରଧାନମନ୍ତ୍ରୀ ଜନମନ ଓ DAJGUA ଯୋଜନା ଅଧୀନରେ ଥିବା ୮୮ଟି ଗ୍ରାମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚାଲିବ। ଏହି ଅଭିଯାନ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସୂଚନା, ଶିକ୍ଷା ଓ ଯୋଗାଯୋଗ (IEC) ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ।
ଏହି ଅଭିଯାନ ସମୟରେ ବିଭିନ୍ନ ପୂର୍ଣ୍ଣ ସୁବିଧା ଅନ୍ତର୍ଭୁକ୍ତି ଶିବିର, ସ୍ୱାସ୍ଥ୍ୟ ଶିବିର ସହ ୪୭ଟି ଆଦି ସେବା କେନ୍ଦ୍ରରେ ଅଭିଯୋଗ ଶୁଣାଣି ଓ ସମାଧାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦୂରଦୁରାନ୍ତ ଅଞ୍ଚଳରେ ବସୋବାସ କରୁଥିବା ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବାକୁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲାପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲୀପ କୁମାର ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ଚନ୍ଦ୍ର ମହାରଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନ, ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
