କଂଗ୍ରେସ ଦଳ ପକ୍ଷରୁ ଗାନ୍ଧୀ ପଥେ ନ୍ୟାୟଯାତ୍ରା ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ପାରାଦୀପ ସ୍ଥିତ ଜେଏସଡବ୍ଲୁ ବିସ୍ଥାପିତଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଗତ ମେ ୬ ତାରିଖରୁ ଢିଙ୍କିଆ ଠାରୁ ରାଜ୍ୟପାଳ ଭବନ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଗାନ୍ଧୀ ପଥେ ନ୍ୟାୟଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ପଦଯାତ୍ରାରେ ଆସି ରଘୁନାଥପୁର ଠାରେ ପହଞ୍ଚିଥିଲେ। ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦେବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ଏହି ପଟ୍ଟୁଆର ରଘୁନାଥପୁର ସ୍ଥିତ ସୁଚିତ୍ରା ହଲ ନିକଟରେ ପହଞ୍ଚିବା ପରେ ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ଜିଲ୍ଲା ମୁଖପାତ୍ର ସର୍ବେଶ୍ଵର ପଣ୍ଡା ଓ ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଅତିଥି ମାନଙ୍କୁ ସ୍ୱାଗତ କରି ସମ୍ବର୍ଦ୍ଧିତ କରିଥିଲେ। କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ଏହି ପଥପ୍ରାନ୍ତ ସଭାରେ ହଜାର ହଜାର ସଂଖ୍ୟକ କର୍ମୀ ଓ ନେତା ଶାସକ ଦଳ ଉପରେ ବିଷ ଉଦଗାରଣ କରିଥିଲେ। ଏଥିରେ ଗାନ୍ଧୀ ପଥେ ନ୍ୟାୟଯାତ୍ରାର ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା , ରାଜଗାଙ୍ଗପୁର ବିଧାୟକ ଡଃ ରାଜନ ଏକ୍କା, ପୂର୍ବତନ ବାଲିକୁଦା ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଏ ଆଇ ସି ସି ସଦସ୍ୟା ଅନୀତା ବିଶ୍ବାଳ, ପିସିସି ପୂର୍ବତନ କାର୍ଯ୍ୟକର୍ତ୍ତା ଅଜୟ କୁମାର ମହାପାତ୍ର, କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ, ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଜୀବନ ପ୍ରଦୀପ ଦାସ, ସଂଗ୍ରାମୀ ନେତା ଦେବେନ୍ଦ୍ର ସ୍ବାଇଁ, ଜିଲ୍ଲା କଂଗ୍ରେସ ଉପସଭାପତି ଅଶ୍ୱିନୀ କୁମାର ସ୍ବାଇଁ, ମହମ୍ମଦ ଅବଦୁଲ ଓ୍ବାଇବ, ତିର୍ତ୍ତୋଲ ବ୍ଲକ ସଭାପତି ମହମ୍ମଦ ସଫି ଆଜମ, ନିହାର ରଞ୍ଜନ ଦାସ, ସାଇ ପ୍ରଭଞ୍ଜନ ମହାପାତ୍ର, ବସନ୍ତ କୁମାର ଦାଶ, ବ୍ରଜ ମଲ୍ଲିକ, ରାଜକିଶୋର ସ୍ବାଇଁ ଓ ପ୍ରଭାତ ରାଉତ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ଜେଏସଡବ୍ଲୁ ବିସ୍ଥାପିତଙ୍କ ଥଇଥାନ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଥିଲେ।
