ବଣଦାମୋଦରପୁରରେ ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାୟୀ ଘର ନାହିଁ: ମିଶନ ଶକ୍ତି ଘରେ ଚାଲୁଛି ଅଙ୍ଗନବାଡି
ବେତନଟୀ,( ନିପ୍ର)୧୦/୫: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ କେନ୍ଦୁଆ ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବଣଦାମୋଦରପୁର ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାୟୀ ଘର ନ ଥିବାରୁ ଗ୍ରାମବାସୀଙ୍କୁ ଗୁରୁତର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରାୟ ପାଞ୍ଚ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି।
ଗ୍ରାମର ଅଙ୍ଗନବାଡି କେନ୍ଦ୍ର ବର୍ତ୍ତମାନ କେବେ ଅଙ୍ଗନବାଡି ଦିଦିଙ୍କ ଘରେ ତ କେବେ ମିଶନ ଶକ୍ତି ଘରେ ଚାଲୁଛି। ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟ ସେବା, ପ୍ରାଥମିକ ଶିକ୍ଷା ଏବଂ ସରକାରୀ ଯୋଜନାର କେନ୍ଦ୍ରସ୍ଥଳ ଭାବେ କାର୍ଯ୍ୟ କରୁଥିବା ଏହି କେନ୍ଦ୍ରରେ ପାନୀୟ ଜଳର କୌଣସି ସ୍ଥାୟୀ ବ୍ୟବସ୍ଥା ନାହିଁ। ପିଲାମାନଙ୍କୁ ପାଣି ପିଆଇବା ପାଇଁ ପ୍ରାୟ ୧୦୦ ମିଟର ଦୂରରୁ ନଳକୂପରୁ ପାଣି ଆଣି ଦିଆଯାଉଛି। ଗର୍ଭବତୀ ମହିଳା, ନବଜାତ ଶିଶୁ, କିଶୋରୀ ବାଳିକାଙ୍କ ପାଇଁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ପ୍ରଦାନରେ ମଧ୍ୟ ପ୍ରଭାବ ପଡୁଛି।
ଗ୍ରାମବାସୀମାନେ ଏହି ଅବହେଳିତ ଅବସ୍ଥାର ଅନ୍ତ ଘଟାଇ ଶୀଘ୍ର ଏକ ସ୍ଥାୟୀ ଅଙ୍ଗନବାଡି ଘର ନିର୍ମାଣ କରିବା ପାଇଁ ପ୍ରଶାସନିକ ହସ୍ତକ୍ଷେପ ଦାବି କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧି ଯିବି ମହଲରେ ଆଲୋଚନା ହେଉଛି।
