ଚକଚକିଆ ଟେଣ୍ଟ ଓ ବୋର୍ଡ଼ରେ ସୀମିତ ଜଳଛତ୍ର।
—————————–
ଭଞ୍ଜନଗର -୦୫/୦୫ (ପ୍ରଫୁଲ୍ଲ କୁମାର ମହାରଣା) ନୂଆ ନୂଆ କରି ବିଜ୍ଞାପିତ ଅଞ୍ଚଳ ପରିଷଦରୁ ପୌର ପରିଷଦରେ ପହଞ୍ଚିଥିବା ଭଞ୍ଜନଗର ପୌର ପରିଷଦର ଚକଚକିଆ ରଙ୍ଗ ଭିତରେ ହଜିଯାଉଛି ବାସ୍ତବ ଚିତ୍ର। ଗ୍ରୀଷ୍ମ ତାପକୁ ଦେଖି ପୌର ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି କିନ୍ତୁ ବାସ୍ତବରେ ସେଠାରେ ଜଳ ନାହିଁ। କେତେକ ସ୍ଥାନରେ ଜଳର ବ୍ୟବସ୍ଥା ରହିଥିବାବେଳେ ବାଉଁଶଲୁଣ୍ଡି ପଞ୍ଚାୟତ ପାଖ ଏବଂ ହନୁମାନ ମନ୍ଦିର ପାଖରେ ଜଳଛତ୍ର ପାଇଁ କେବଳ ଟେଣ୍ଟ ଓ ବୋର୍ଡ଼ ଲଗାଯାଇଛି। ତୀବ୍ର ଗ୍ରୀଷ୍ମ ତାପ ଏବଂ ସହରରେ ଚାଲୁଥିବା ଠାକୁରାଣୀ ଯାତ୍ରାକୁ ଆଖି ଆଗରେ ରଖିଲେ ପୌର ପରିଷଦ ତରଫରୁ ଆବଶ୍ୟକ ଜଳଛତ୍ର ଖୋଲାଯାଇ ନାହିଁ। କାରଣ ଠାକୁରାଣୀ ଯାତ୍ରାରେ ପ୍ରତିଦିନ ହଜାର ହଜାର ଲୋକ ଯାତ୍ରା ଦେଖିବାକୁ ଆସୁଛନ୍ତି। ପାଣି ଉପରେ ନିର୍ଭର କରି ଲେକମାନେ ଦୋକାନରୁ ପାଣି ବୋତଲ କିଣି ପିଉଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ୟବସାୟୀ ମାଲାମାଲ ହେବା ସହିତ ସହରରେ ପ୍ଲାଷ୍ଟିକ ପ୍ରଦୁଷଣ ବଢ଼ିବାରେ ଲାଗିଛି। ଅବଶ୍ୟ ସୁଜଳ ଯୋଜନାରେ ସହରର ବିଭିନ୍ନ ସ୍ଥାନରେ ୨୪ଘଣ୍ଟା ପାଣିର ବ୍ୟବସ୍ଥା ଅଛି କିନ୍ତୁ ତାହା ଅନେକ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ତ କିଛି ସ୍ଥାନରେ ତାହା ବିଜ୍ଞାପନରେ ପୋତି ହୋଇଯାଇଛି। ପରିଷ୍କାର ଓ ନିର୍ମଳ କରିବାକୁ ପୌର ପରିଷଦ ପାଖରେ ସମୟ ନାହିଁ। ଏପରି ଅବ୍ୟବସ୍ଥା ନିଶ୍ଚୟ ଭାବେ ଦୁଃଖଦ ଓ ଅସ୍ୱୀକାର୍ଯ୍ୟ। ଶେଷରେ ପ୍ରଶ୍ନ ଉଠୁଛି, ଏହି ସବୁ ଯୋଜନା ସତରେ ଜନହିତ ପାଇଁ, ନା କେବଳ ଚକଚକିଆ ଟେଣ୍ଟ ଓ ବୋର୍ଡ଼ରେ ସୀମିତ?
