କାଲିମେଳା – 0୪/0୫/୨0୨୬
(ସୁକୁମାର ମଣ୍ଡଳ)
ଅସହାୟ ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ ମାଲକାନଗିରି ଜିଲ୍ଲାର ବେଙ୍ଗଲୀ ସମାଜ।
ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଚିତ୍ରାଙ୍ଗ ପାଲ୍ଲୀ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ଗୋଟିଏ ଛୋଟ ଗ୍ରାମ। ଗ୍ରାମଟିର ନାଁ ହେଉଛି ବାସନ୍ତୀପୁର ଏମ୍ ପି ଭି ଆଠ। ଏହି ଗ୍ରାମରେ ବାପା ସମୀର ବାଗଚୀ ଓ ମାତା ଅର୍ଚ୍ଚନା ବାଗଚୀଙ୍କ ସହିତ ଗୋଟାଏ ସାଧାରଣ ପରିବାରରେ ବାସ କରନ୍ତି ଚାନ୍ଦିନୀ ବାଗଚୀ। ଚାନ୍ଦିନୀ ବାଗଚୀ ଚଳିତ ବର୍ଷ ମାଲକାନଗିରି ଜିଲ୍ଲାର ଏମ୍ ଭି ସାତ ଜଗନ୍ନାଥ ପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ମେଟ୍ରିକ୍ ପରୀକ୍ଷାରେ ୬୦୦ ମାର୍କ ମଧ୍ୟରୁ ୫୪୬ ମାର୍କ ଅର୍ଥାତ୍ ଏକାନବେ ଶତକଡା ମାର୍କ ରଖି ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଡ଼ମ୍ବନାର ବିଷୟ ହେଉଛି ଝିଅ ଯେତେବେଳେ କ୍ଳାଶରେ ବସି ପରୀକ୍ଷା ଦେଉଥିଲେ ବାପା ସମୀର ବାଗଚୀ ମାଲକାନଗିରି ମେଡିକାଲରେ କ୍ୟାନ୍ସର ଜନିତ ରୋଗରେ ମୃତ୍ୟୁ ସହିତ ଲଢ଼େଇ କରୁଥିଲେ । ଏପରି ପରିସ୍ଥିତିରେ ଜଣେ ଝିଅ ପରୀକ୍ଷା ଦେଇ ପ୍ରଥମ ସ୍ଥାନ ଅଧିକାର କରିବା କେତେ କଷ୍ଟ ଦର୍ଶକ ବନ୍ଧୁ ତାହା ଆପଣମାନେ ଭଲଭାବରେ ଜାଣିଛନ୍ତି। ଫଳାଫଳ ଘୋଷଣା ହେବାର କିଛି ଦିନ ପୂର୍ବେ ବାପା ସମୀର ଏମାନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ। ଏପଟେ ଝିଅ ସିନା ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହେଲେ ମାର ଆଖିରେ କିନ୍ତୁ ଝିଅକୁ କିପରି ଭାବରେ ଏହି ଦାରିଦ୍ର୍ୟତା ଭିତରେ ପାଠ ପଢ଼େଇବେ ସେଥିପାଇଁ ନିଦ ନଥାଏ। ଠିକ୍ ଏହିପରି ଘଡ଼ି ସନ୍ଧି ମୂହୁର୍ତ୍ତରେ ଏହି ବାପ ଛେଉଣ୍ଡ ଅସହାୟ ଝିଅକୁ ସାହାଯ୍ୟର ହାତ ବଢ଼ାଇ ଦେଲେ ମାଲକାନଗିରି ଜିଲ୍ଲାର ବେଙ୍ଗଲୀ ସମାଜ। ବେଙ୍ଗଲୀ ସମାଜର ସଭାପତି ଶ୍ରୀଯୁକ୍ତ ଗୌରାଙ୍ଗ କର୍ମକାରଙ୍କ କହିବା ଅନୁସାରେ ଚାନ୍ଦିନୀର ପାଠ ପଢ଼ାରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମାଲକାନଗିରି ବେଙ୍ଗଲୀ ସମାଜ ସବୁବେଳେ ପାଖରେ ରହିବେ। ଏହାଛଡ଼ା କୌଣସି ସହୃଦୟ ବ୍ୟକ୍ତି ଯଦି ଝିଅକୁ ପାଠ ପଢ଼ିବା ପାଇଁ ସାହାଯ୍ୟ କରିବାକୁ ଚାହୁଁଥାନ୍ତି ତେବେ କାଲିମେଳା ବ୍ଲକର ଚିତ୍ରାଙ୍ଗ ପାଲ୍ଲୀ ଗ୍ରାମ ପଞ୍ଚାୟତର ବାସନ୍ତୀପୁର ଏମ୍ ପି ଭି ଆଠ ଗ୍ରାମର ଏହି ଅସହାୟ ଝିଅଟିର ପରିବାର ସହିତ ଆସି ଯୋଗାଯୋଗ କରିପାରିବେ। ଅପରପକ୍ଷରେ ଦେଖିବାକୁ ଗଲେ ମାଲକାନଗିରି ଜିଲ୍ଲାର ବେଙ୍ଗଲୀ ସମାଜ ସବୁବେଳେ ଦୁଃଖୀ ଦରିଦ୍ର ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଦେଖିବାକୁ ମିଳୁଛି।ଏହାର ଜ୍ୱଳନ୍ତ ଉଦାହରଣ ଆପଣମାନେ ଭଲଭାବରେ ଜାଣିଛନ୍ତି କିଛି ମାସ ପୂର୍ବେ ମାଲକାନଗିରି ଜିଲ୍ଲାର ଏମ୍ ଭି ୨୬ ଗ୍ରାମରେ ହୋଇଥିବା ଦୂର୍ଘଟଣାରେ ଯଦି ବେଙ୍ଗଲୀ ସମାଜ ହସ୍ତକ୍ଷେପ ନ କରିଥାନ୍ତେ ତେବେ ଗ୍ରାମବାସୀ ଆହୁରି ବିପଦର ସମ୍ମୁଖୀନ ହୋଇଥାନ୍ତେ। ବର୍ତ୍ତମାନ ଦେଖିବାକୁ ବାକି ରହିଲା ମାଲକାନଗିରି ବେଙ୍ଗଲୀ ସମାଜ କିପରି ଭାବରେ ଚାନ୍ଦିନୀକୁ ପାଠ ପଢ଼ାରେ ସାହାଯ୍ୟ କରୁଛନ୍ତି।
