ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା
ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ
ସମ୍ବଲପୁର:ବରଗଡ଼/ବଲାଙ୍ଗୀର : ୨୯.୦୪(ନି, ପ୍ର )(ଯୋଗେନ୍ଦ୍ର ସାହୁ) ବରଗଡ଼ ଓ ବଲାଙ୍ଗୀରକୁ ରେଳ ବିଭାଗର କ୍ରମାଗତ ଅବହେଳା ତଥା ବିଭିନ୍ନ ଦାବିକୁ ନେଇ ଆଜି ଏପ୍ରିଲ ୨୯ ତାରିଖରେ ସମ୍ବଲପୁର ରେଳମଣ୍ଡଳ କାର୍ଯ୍ୟାଳୟ ସମ୍ମୁଖରେ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ରେଳ ଉପଭୋକ୍ତା ସଂଘର ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ନୀରବ ଧାରଣା ପ୍ରଦର୍ଶନ କରାଯାଇଥିଲା। ସଦସ୍ୟମାନେ ମୁହଁରେ କଳାମାସ୍କ ପିନ୍ଧି ବିଭିନ୍ନ ଦାବି ଲେଖା ଥିବା ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ପ୍ରଦର୍ଶନ କରିଥିଲେ। ପରେ ସମ୍ବଲପୁର DRM ଶ୍ରୀ ସୁବାସ ଚୌଧୁରୀ ସମସ୍ତ ସଦସ୍ୟଙ୍କୁ ତାଙ୍କ କେବିନ୍ କୁ ଡାକି ଆଲୋଚନା କରିଥିଲେ। ସେଠାରେ ମୁଖ୍ୟତଃ ତିନୋଟି ଦାବି ଉପରେ ଆଲୋଚନା ହୋଇଥିଲା। ବଲାଙ୍ଗିର ଓ ବରଗଡ଼ରୁ ଭୁବନେଶ୍ୱରକୁ ସକାଳୁଆ ଇଣ୍ଟରସିଟି, ଏହି ଲାଇନ୍ ଦେଇ ଦିଲ୍ଲୀ ଓ ପ୍ରୟାଗରାଜକୁ ଟ୍ରେନ ତଥା ବଲାଙ୍ଗିରରେ ପିଟ-ଲାଇନ୍ ନିର୍ମାଣ। DRM ଶ୍ରୀ ଚୌଧୁରୀ ବିଭିନ୍ନ କାରଣ ଦେଖାଇ ଏହି ଦାବିଗୁଡିକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ, ସଦସ୍ୟମାନେ ଏହି ଦାବିଗୁଡିକ ଲୋକଙ୍କ ପାଇଁ କେତେ ଆବଶ୍ୟକ ତାହା ବୁଝାଇବାକୁ ଚେଷ୍ଟା କରିଥିଲେ। ଶେଷରେ ସଦସ୍ୟମାନେ ତାଙ୍କର ଅସହଯୋଗ ମନୋବୃତ୍ତିକୁ ଲକ୍ଷ୍ୟ କରି ତାଙ୍କୁ ଚରମବାଣୀ ଶୁଣାଇ କହିଛନ୍ତି ଯେ, ଆଗାମୀ ଏକ ମାସ ମଧ୍ୟରେ ଯଦି ଆମର ଦାବି ପୂରଣ ନ ହୁଏ, ତେବେ ବରଗଡ଼ ଓ ବଲାଙ୍ଗୀରରେ ସମସ୍ତ ରାଜନୈତିକ ଦଳ, ଅନୁଷ୍ଠାନଗୁଡିକ ତଥା ବ୍ୟକ୍ତି ବିଶେଷଙ୍କ ସମର୍ଥନରେ ବିରାଟ ରେଳ-ରୋକୋ ଜନଆନ୍ଦୋଳନ ଆରମ୍ଭ କରାଯିବ।
ଅଧିକାରୀମାନଙ୍କ ଏଭଳି ନକାରାତ୍ମକ ଚିନ୍ତାଧାରା ପାଇଁ ଆଜି ପର୍ଯ୍ୟନ୍ତ ବରଗଡ଼ ଓ ବଲାଙ୍ଗୀରର ରେଳ ଉପଭୋକ୍ତାମାନେ ନ୍ୟାଯ୍ୟ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ସମ୍ୱଲପୁର-ଟିଟିଲାଗଡ ସେକ୍ସନକୁ ସର୍ବଦା ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଛି। ପ୍ରତ୍ୟହ, ଦେଶର ସବୁଆଡ଼େ ନୂତନ ଟ୍ରେନ ଚଳାଚଳ ସମ୍ପର୍କରେ ଖବର ସମ୍ବାଦପତ୍ରର ଶିରୋନାମା ମଣ୍ଡିତ ହେଉଥିବା ବେଳେ ଏ ଅଞ୍ଚଳର ସାମାନ୍ୟ କେତୋଟି ଦାବି ପାଇଁ ୧୫ ବର୍ଷ ହେଲା ଶାନ୍ତିପୂର୍ଣ୍ଣ ସଂଗ୍ରାମ ଚାଲିଆସିଛି। କିନ୍ତୁ, ଏଥର ମିଳିତ କ୍ରିୟାନୁଷ୍ଠାନ କମିଟି ଏହାକୁ ସ୍ୱାଭିମାନର ପ୍ରଶ୍ନ ବୋଲି ବିବେଚିତ କରି ଏବେ ଗାନ୍ଧିଜୀଙ୍କ ପଥ ଛାଡ଼ି ନେତାଜୀଙ୍କ ପଥରେ ଯିବା ପାଇଁ ନିଷ୍ପତ୍ତି ନେଇସାରିଛି। ଉଭୟ ଜିଲ୍ଲାର ଜନସାଧାରଣ ଏଥିପାଇଁ ଆବଶ୍ୟକ ପଡ଼ିଲେ ଆନ୍ଦୋଳନ ଦ୍ୱାରା ଏହାର ସମାଧାନ କରାଯିବ ଏବଂ ଏଥିପାଇଁ କୌଣସି କ୍ଷତି ହେଲେ ଡି.ଆର.ଏମ୍. ଶ୍ରୀ ଚୌଧୁରୀ ଦାୟିହେବେ । ଏ ଅଞ୍ଚଳର ଜନସାଧାରଣ ଦାବି ପୂରଣ ନହେଲେ ରେଳରୋକୋ ପାଇଁ ଉତ୍ସାହିତ ଅଛନ୍ତି।
ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବରଗଡ଼ ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଦୀପ ଦେବତା, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଉପ-ସଭାପତି ପ୍ରିତମ ସିଂହ ଓ ନିର୍ମଳ କିଶୋର କର, ସମ୍ପାଦକ କମଳ ଯୋଶୀ, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ପୂଜାରୀ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ ତଥା ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ କିଶୋର କୁମାର ରଥ, ଅଚ୍ୟୁତାନନ୍ଦ ବାରିକ, ଗୋବିନ୍ଦ ଦାଶ, ଅଭୟ କୁମାର ଭୋଇ, ତୁଳସୀ ଚରଣ ଦାଶ, ସତ୍ୟନାରାୟଣ ପଣ୍ଡା, ଲକି ମିରୱାନି, ହରଦୀପ ସିଂହ, ଉଦ୍ଧବ ଚରଣ ବେହେରା, ସି.ଏମ୍.ରାଓ, ବିଷ୍ଣୁ ଧାନୁକା, ଦୀପକ ରେଖାନୀ, ପ୍ରତାପ ନାୟକ ଓ ବିନୟ କୁମାର ଲାଠ ଯୋଗଦେଇଥିବା ବେଳେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ତରୁଣ କୁମାର ମିଶ୍ର, ସମ୍ପାଦକ ବିମଳ ଚକ୍ରବର୍ତ୍ତୀ ତଥା ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇଥିଲେ। ଶେଷରେ ସଂପାଦକ କମଳ ଯୋଶୀ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
