ମା ନାରାୟଣୀ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପନ୍ନ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ସ୍ଥିତ ମହାନଦୀ କୂଳେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ନାରାୟଣୀଙ୍କ ୪୫ ତମ ବାର୍ଷିକୋତ୍ସବ ଉପଲକ୍ଷେ ବିଶ୍ଵଶାନ୍ତି ମହାଯଜ୍ଞ ଶୁକ୍ରବାର ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ଏହି ୫ ଦିନ ବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କଳସ ଯାତ୍ରା ପରେ ଘଟ ସ୍ଥାପନ ହୋଇ ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହି ଅବସରରେ ସୂର୍ଯ୍ୟ ପୂଜା, ଗୋପୂଜା,ସୂର୍ଯ୍ୟନାରାୟଣ ପୂଜା, ରୁଦ୍ରାଭିସେକ ଓ ଚଣ୍ଡୀପାଠ କରାଯାଇ ପ୍ରତ୍ୟେହ ଆହୁତି ପ୍ରଦାନ କରାଯାଇଥିଲା। ପୂର୍ଣ୍ଣାହୁତି ଦିନ ପୀଠରେ ପ୍ରବଳ ଜନସମାଗମ ହେବା ସହିତ ଏହି ପୀଠରେ ହୋଇଥିବା ମେଳାରେ ବିଭିନ୍ନ ପ୍ରକାର ଦୋକାନ ବଜାର ଖୋଲିଥିଲା। ଲୋକେ ମେଳା ବୁଲି ଚଟପଟି ଖାଦ୍ୟ ଖାଇ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଖୁସି ଉଠାଉଥିଲେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତମାନେ। ଏହି ଯଜ୍ଞ କାର୍ଯ୍ୟରେ ୫ ଜଣ ବୈଦିକ ପଣ୍ଡିତଙ୍କ ଦ୍ବାରା ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ବିଭୁଦତ୍ତ ପଣ୍ଡା ଓ ତାଙ୍କ ପତ୍ନୀ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଆଖପାଖର ଅଞ୍ଚଳବାସୀଙ୍କ ପୂର୍ଣ୍ଣ ସହଯୋଗ ତଥା ମା ନାରାୟଣୀ ପରିଚାଳନା କମିଟି ତତ୍ତ୍ଵାବଧାନରେ ଏହି ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଯଜ୍ଞ କାର୍ଯ୍ୟକ୍ରମରେ ବହୁ ରାଜନୈତିକ ବ୍ୟକ୍ତି ବିଶେଷ ଯଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଜୟ ମହାପାତ୍ରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିବିଶେଷ ଦର୍ଶନ ନିମନ୍ତେ ଆସିଥିଲେ।
