ଜିଲ୍ଲା ସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ।
ଯାଜପୁର, ତା ୨୫.୦୪(ଭଞ୍ଜଦୂତ: ସରୋଜ କୁମାର ଧଳ:ନିପ୍ର )
ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ବ୍ଲକ ର ଚିଙ୍ଗୁଡ଼ିପାଳ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଅଛି। ଏହି କ୍ରମରେ ଏକ ସଚେତନତା ସଭା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ଏକ ସଚେତନତା ରାଲି ସ୍ଥାନୀୟ କାଳିଆପାଣି ଠାରେ ଆଶା, ଅଙ୍ଗନୱାଡ଼ି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଦ୍ଵାରା ସକାଳ ୭.୦୦ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା। ସଭା କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଶ୍ରୀ ବଳଦେବ ନନ୍ଦ, ଜିଲ୍ଲା ଭେକ୍ଟର ବାହିତ ରୋଗ କାର୍ଯ୍ୟକ୍ରମର ପରାମର୍ଶଦାତା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ବିଶ୍ଵ ମ୍ୟାଲେରିଆ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡ଼ା. ଜୟଦେବ ନନ୍ଦ ଜ୍ୱର ହେବା କ୍ଷଣି ତୁରନ୍ତ ରକ୍ତ ପରୀକ୍ଷା ଏବଂ ମ୍ୟାଲେରିଆର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ବନ୍ଧରେ ଗୁରୁତ୍ଵ ଦେଇଥିଲେ। ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ଭିବିଡି) ଡ଼ା. ରଶ୍ମିରଞ୍ଜନ ସାହୁ ସମ୍ପୂର୍ଣ୍ଣ ଚିକିତ୍ସାର ତଦାରଖ ଆଶା ମାନଙ୍କ ଦ୍ଵାରା କରିବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ମ୍ୟାଲେରିଆ ରୋଗର କାରଣ ନିରୂପଣ,ସମ୍ପୂର୍ଣ୍ଣ ଚିକିତ୍ସା ଓ ରୋଗର ନିରାକରଣ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ତୁରନ୍ତ ରକ୍ତ ପରୀକ୍ଷା ଓ ସମ୍ପୂର୍ଣ୍ଣ ଚିକିତ୍ସା ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ଓ ଗାମ୍ବୁସିଆ ପ୍ରଦର୍ଶନ କରାଇ ସଚେତନତା କରାଯାଇଥିଲା। ସଭାରେ ସମସ୍ତ ଅଂଶଗ୍ରହଣକାରୀ ମାନେ ମ୍ୟାଲେରିଆ ମୃତ୍ୟୁ ଶୂନ୍ୟ ପାଇଁ ଶପଥ ପାଠ କରିଥିଲେ। ଶ୍ରୀ ବଳଦେବ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନୱାଡ଼ି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଶିକ୍ଷକ, ମହିଳା, ଏବଂ ସ୍ଥାନୀୟ ବ୍ୟକ୍ତି ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ସ୍ଥାନୀୟ ସରପଞ୍ଚଙ୍କ ସହଯୋଗ ଏବଂ ଉପସ୍ଥିତି ରେ ସଭାଟି ସଫଳ ରୂପେ ରୂପାୟନ ହୋଇଥିଲା।
