ଜନ୍ମ ମାଟିରେ ଅବହେଳା ସ୍ଥିତି ରେ କବିବର !
ସେଦିନ କେତେ ଗହଳି ଥିଲା ! ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ସହ ବିଭିନ୍ନ ମହଲରୁ ଆସିଥିଲେ ଅନେକ ଲୋକ ! ହେଲେ ପରବର୍ତ୍ତୀ ସମୟରେ ଜନ୍ମ ଜୟନ୍ତୀ ହେଉ ଅବା ଶ୍ରାଦ୍ଧ ଦିବସରେ ସମସ୍ତେ ଯେମିତି ଭୁଲିଗଲେ ଗଡ଼ଗଡ଼ିଆ ଘାଟ ନିକଟରେ ଥିବା କବିବର ରାଧାନାଥ ରାୟଙ୍କ ପ୍ରତିମୂର୍ତ୍ତିକୁ। ନା କେହି ଆସିଲେ ନା କେହି ଫୁଲ ମାଳ ଟିଏ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ। କବିବର ରାଧାନାଥ ରାୟଙ୍କ ଶ୍ରାଦ୍ଧ ଦିବସ ଗତକାଲି ରହିଥିବା ବେଳେ, କେହିବି ସେଠାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ନ ଦେବା ଖୁବ ଦୁଃଖଦାୟକ ଆଉ ଦୁର୍ଭାଗ୍ୟଜନକ। ଚନ୍ଦ୍ରଭାଗା , ଚିଲିକା ଭଳି ଅନେକ କାବ୍ୟ ରଚନା କରି ସେ ସମୟରେ ଖୁବ ଚର୍ଚ୍ଚିତ କବିବର ରାଧାନାଥଙ୍କ ନାଁ କେଵଳ କେଦାରପୁର (ସୋର) କିମ୍ବା ବାଲେଶ୍ବର କିମ୍ବା ଓଡ଼ିଶା ରେ ସୀମିତ ନଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି କ୍ଷେତ୍ରରେ କବିବର ରାଧାନାଥଙ୍କ ଅବଦାନ ଚିରସ୍ମରଣୀୟ। ଯେ କୌଣସି ଜାଗାରେ କବିତା ଆସର ହେଉ ଅବା ସାହିତ୍ୟ ସମ୍ମିଳନୀ, କବିବର ରାଧାନାଥଙ୍କ ଓଡ଼ିଆ ଭାଷା ପ୍ରତି ରହିଥିବା ଅବଦାନ ଉପରେ ଚର୍ଚ୍ଚା ହେଉଥିବା ବେଳେ,ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ଆଗକୁ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚା ଶୁଣିବାକୁ ମିଳୁଛି।।।
