ଆଶ୍ରମ ଛାତ୍ରୀ ମୃତ୍ୟୁ ଘଟଣାରେ ବେତନଟୀ ବନ୍ଦ ସଫଳ
ବେତନଟୀ ୧୮/୪ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ସେବାଶ୍ରମରେ ପଢ଼ୁଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ ରୁପାଲୀ ବେସ୍ରାଙ୍କ ମୃତ୍ୟୁ କୁ ନେଇ ମୟୂରଭଞ୍ଜ ଜିଲ୍ଲା ବିଜେଡି ଓ କଂଗ୍ରେସ ପକ୍ଷରୁ ଶନିବାର ଦିନ ଜିଲ୍ଲା ବନ୍ଦ ଡାକରା ଦିଆ ଯାଇଥିଲା। ଏହି ବନ୍ଦକୁ ସଫଳ କରିବା ପାଇଁ ଦୁଇ ଦଳଙ୍କ ଉଦ୍ୟମ କ୍ରମେ ଶନିବାର ଦିନ ବେତନଟୀ ର ସମସ୍ତ ଦୋକାନ ବଜାର, ବ୍ଲକ, ତହସିଲ କାର୍ଯ୍ୟାଳୟ, ସ୍କୁଲ, ମହାବିଦ୍ୟାଳୟ, ବ୍ୟାଙ୍କ ସମେତ ସମସ୍ତ ଅଫିସ କାର୍ଯ୍ୟାଳୟ ବନ୍ଦ ଥିଲା। ଶନିବାର ସକାଳୁ ୧୮ ନମ୍ବର ଜାତୀୟ ରାଜପଥ ବଙ୍ଗାଳଛକ ନିକଟ ବାଏ ପାସ ଛକରେ ବିଜେଡି ଓ କଂଗ୍ରେସର ସଦସ୍ୟ ମାନେ ଜାତୀୟ ରାଜପଥ ଅବରୋଧ କରି ବସ ଟ୍ରକ ସମେତ ସମସ୍ତ ଚାରି ଚକିଆ ଯାନକୁ ଅଟକ ରଖାଯାଇଥିଲା। ଅପରାହ୍ନ ପରେ ଦୋକାନ ବଜାର, ଗାଡି ଚଳାଚଳ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା। ଆଶ୍ରମ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରୀ ଅବହେଳା କୁ ଦାୟୀ କରି ବେତନଟୀ ବାସୀଙ୍କ ପକ୍ଷରୁ ଏହି ବନ୍ଦ କୁ ସ୍ବେଛାକୃତ ସମର୍ଥନ ଦେଇଥିଲେ। ଏହି ବନ୍ଦ ପାଳନରେ ବେତନଟୀ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସୁଶାନ୍ତ ବଳା, ସୁନ୍ଦର ମୋହନ ମହାନ୍ତ, ସମିତି ସଭ୍ୟ କିଶୋର ନାୟକ, ବାପି ମହାନ୍ତ, ଛାତ୍ର ନେତା ସୌରଭ ପରିଡା, ମନୀଷ ଗିରି, ମାନୁ ସାହୁ, ବ୍ଲକ କଂଗ୍ରେସ ସଭାପତି କୁଶଧର ବେହେରା, ମଣ୍ଟୁ ମହାନ୍ତ, ଗୌରମୋହନ ସିଂ, ରଘୁନାଥ ମୁର୍ମୁ, ପ୍ରମୁଖ ସକ୍ରିୟ ଭୂମିକା ତୁଲାଇଥିଲେ। ବେତନଟୀ ବନ୍ଦ ସମୟରେ ଶୃଙ୍ଖଳା ପାଇଁ ବେତନଟୀ ପୋଲିସ ସବୁ ଛକରେ ମୁତୟନ ଥିଲେ।
