କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ସତ୍ତ୍ୱେ ପତ୍ର ଦର ଧାର୍ଯ୍ୟ ହେଲା ନାହିଁ – ମାସିକ ମଜୁରୀ ବୃଦ୍ଧି ଘୋଷଣା ହେଲା ନାହିଁ – ସରକାରଙ୍କ ଅବହେଳା ଓ ପ୍ରତାରଣା ବିରୋଧରେ ମଇ ୧ ତାରିଖ ବିଶ୍ଵ ଶ୍ରମିକ ଦିବସରେ କଳା ବ୍ୟାଚ୍ ପରିଧ୍ୟାନ କରି ଗ୍ରା: ପ: ସ୍ତରରେ ଧାରଣା ଏବଂ ସମାବେଶ :-
ସମ୍ବଲପୁର ତା ୧୬/୦୪, (ଭଂଜଦୂତ )
ଆଜି କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟିର ଭିଡିଓ କନଫରେନ୍ସସିଂ ଜରିଆରେ ଏକ ଜରୁରୀ ବୈଠକ ସଂଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଗତ ଏପ୍ରିଲ ୧୦ ତାରିଖରୁ କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହୋଇ ଯାଇଥିବା ସତ୍ତ୍ୱେ କେନ୍ଦୁପତ୍ରର କେରି ପ୍ରତି ନୂତନ ଦର , ସିଜିନାଲ କର୍ମଚାରୀ ମାନଙ୍କ ମାସିକ ମଜୁରୀ ଏବଂ ବନ୍ଧେଇ ଶ୍ରମିକ ମାନଙ୍କ ବଣ୍ଡିଲ ପ୍ରତି ନୂତନ ଦର ଘୋଷଣା ନ ହେବା ପରିପେକ୍ଷିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଯାହାକି ଫେବୃଆରୀ,ମାର୍ଚ୍ଚ ମାସରେ କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହେବା ବହୁ ପୂର୍ବରୁ ଘୋଷଣା ହେବା ସରକାରୀ ପରମ୍ପରା ରହିଆସିଛି । ଏପରିକି ବର୍ଦ୍ଧିତ ବୋନସ ମଧ୍ୟ ପ୍ରଦାନ ଘୋଷଣା ହେବା କଥା ତାହା ମଧ୍ୟ ହେଲା ନାହିଁ । ଆହୁରି ମଧ୍ୟ ବର୍ତ୍ତମାନ ର ସରକାରୀ ଦଳର ନିର୍ବାଚନ ଇସ୍ତାହାର ରେ ଘୋଷଣା ହୋଇଥିବା କେରି ପ୍ରତି ୨ ଟଙ୍କା ଦର ଧାର୍ଯ୍ୟ ଏବଂ ବନସ ପରିମାଣ ବୃଦ୍ଧି ଘୋଷଣା ସରକାର ପାଳନ କଲେ ନାହିଁ । ଏହିପରି ଭାବରେ ୧୭ ଦଫା ଦାବୀ ନିମନ୍ତେ ସଂଘ ପୂର୍ବରୁ ରେଞ୍ଜ ଅଫିସ ମାନଙ୍କରେ ଗଣ ଧାରଣା ଗତ ଫେବୃଆରୀ ୨୦ ଓ ୨୧ ତାରିଖରେ କରିବା ପରେ ଫେବୃଆରୀ ୨୭ ତାରିଖ ରାସ୍ତାରୋକ ଆନ୍ଦୋଳନ ହେବାକୁ ଯାଉଥିବା ବେଳେ ସରକାରଙ୍କ ଅନୁରୋଧ କ୍ରମେ ଓ ସରକାର ଆଲୋଚନା କରିବାକୁ ମାର୍ଚ୍ଚ ୨ ତାରିଖରେ ନିମନ୍ତ୍ରଣ କରିବାରୁ ରାସ୍ତାରୋକ୍ ଆନ୍ଦୋଳନ ସ୍ତଗିତ କରାଯାଇଥିଲା । ଏହି ପରିପେକ୍ଷୀରେ ସରକାରଙ୍କ ପକ୍ଷରୁ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମାଙ୍କ ସହ ଆଲୋଚନା ହୋଇଥିଲା । ଏହାପରେ ଦେଢ଼ ମାସ ସମୟ ଅତିବାହିତ ହୋଇଥିଲେ ମଧ୍ୟ ସରକାର ନୀରବ ରହି ଦାବୀ ପୂରଣ ଦିଗରେ ପଦକ୍ଷେପ ନେଲେ ନାହିଁ କିମ୍ବା କିଛି ଘୋଷଣା କଲେ ନାହିଁ ।
ବରଂ ଗତ ଫେବୃଆରୀ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ସୁଦ୍ଧା ହୋଇଥିବା ଗୋଛା କଟେଇ କରିଥିବା ହଜାର ହଜାର ଗୋଚ୍ଛା କଟାଳି ଶ୍ରମିକମାନେ ଆଜି ପର୍ଯ୍ୟନ୍ତ ତାଙ୍କର ମଜୁରୀ ପାଉଣା ପାଇ ପାରି ନାହାଁନ୍ତି । ଏହି ପରିସ୍ଥିତିରେ ତୋଳାଳୀ – ସିଜିନାଲ କର୍ମଚାରୀ – ବନ୍ଧେଇ ଶ୍ରମିକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ଏବଂ କ୍ଷତିଗ୍ରସ୍ତ ହେବା ସହ ବର୍ତ୍ତମାନର ଦରଦାମ ବୃଦ୍ଧି ସେମାନଙ୍କୁ କଷ୍ଟକର ହେଉଛି । ମୁଖ୍ୟମନ୍ତ୍ରୀ,ଉପମୁଖ୍ୟମନ୍ତ୍ରୀ,ଜଙ୍ଗଲ ମନ୍ତ୍ରୀ,ପ୍ରମୁଖ ଶାସନ ସଚିବ ଏବଂ ପି ସି ସି ଏଫ୍ ଙ୍କ ସହ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ସରକାରଙ୍କ ଅବହେଳା ସେମାନଙ୍କୁ ଅସହ୍ୟ ହେବାରେ ଲାଗିଛି ।
ଏହି ପରିସ୍ଥିତିରେ ସଂଘର ଆଜିର ଜରୁରୀ ବୈଠକରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିବା ପାଇଁ ଚାପ ସୃଷ୍ଟି କରିବାକୁ ଆନ୍ଦୋଳନକୁ ବ୍ୟାପକ ଓ ତୃଣ ମୂଳ ସ୍ତରକୁ ନେବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ଅନୁସାରେ ମଇ ୧ ତାରିଖ ଆନ୍ତର୍ଜାତିକ ଶ୍ରମିକ ଦିବସ ତୋଳାଳୀ,କର୍ମଚାରୀ ଏବଂ ଆନୁସଙ୍ଗିକ ଶ୍ରମିକ ମାନେ କଳା ଵ୍ୟାଚ୍ ପରିଧ୍ୟାନ ସହ ଗ୍ରାମ ପଞ୍ଚାୟତ ମାନଙ୍କରେ ଧାରଣା ସମାବେଶରେ ଏକତ୍ର ହୋଇ ଏହି ପ୍ରତିବାଦ କରିବେ ଏବଂ ହଜାର ହଜାର ସଂଖ୍ୟାରେ ଦସଖସ୍ତ ସମ୍ବଳିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେବେ । ଏହା ପରେ ଦାବୀ ପୂରଣ ନ ହେଲେ ବଡ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବେ ।
ବୈଠକର ପ୍ରାରମ୍ଭରେ ସଂଘର କୋଷାଧ୍ୟକ୍ଷ ତଥା ରାଉରକେଲା ଡିଭିଜନର ସମ୍ପାଦକ
କ୍ଷେତ୍ର ଚନ୍ଦ୍ର ବାରିକଙ୍କ ପରୋଲକରେ ଶୋକ ପ୍ରକାଶ କରାଯାଇ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ଆଜିର ବୈଠକରେ ସଂଘର ଉପ ସଭାପତି ଶ୍ରୀ ଗୋକୁଳ ମେହେର,ଉପସଭାପତି ଶ୍ରୀ ସରୋଜ କର୍ଣ୍ଣ,ସାଧାରଣ ସମ୍ପାଦକ ଶ୍ରୀ ସଂଜିତ ମହାନ୍ତି ଏବଂ ସହଯୋଗୀ ସାଧାରଣ ସମ୍ପାଦକ ଶ୍ରୀ ମହମ୍ମଦ ମୂର୍ତ୍ତୁଜା, ଶ୍ରୀ ଶିବାନନ୍ଦ ପରିଚ୍ଛା ଏବଂ ଝାରସୁଗୁଡ଼ା ଡିଭିଜନ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାହୁ,ଦେବଗଡ଼ ଡିଭିଜନ ସମ୍ପାଦକ ଶ୍ରୀ ଭୂପେନ୍ଦ୍ର ପ୍ରସାଦ ନାୟକ, କେଉଁଝର ଡିଭିଜନ ସମ୍ପାଦକ ଶ୍ରୀ ସଞ୍ଜୟ ଚୌଧୁରୀ,ରେଢ଼ାଖୋଲ ଡିଭିଜନ ସମ୍ପାଦକ ଶ୍ରୀ କିଶୋର ପ୍ରଧାନ,ଅନୁଗୋଳ ଡିଭିଜନ ସମ୍ପାଦକ ଶ୍ରୀ ରତ୍ନାକର ପ୍ରଧାନ, ଜୟପୁର ଡିଭିଜନ ସମ୍ପାଦକ ଶ୍ରୀ ରାମ ମାଢି, ନବରଙ୍ଗପୁର ଡିଭିଜନ ସମ୍ପାଦକ ଶ୍ରୀ ଭାଗିରଥି ବିଶୋଇ,ବୌଦ ଡିଭିଜନ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ରାଉରକେଲା ଡିଭିଜନ ଯୁଗ୍ମ ସମ୍ପାଦକ ଶ୍ରୀ ସୋଭାରାମ ପ୍ରଧାନ,ଆଠମଲ୍ଲିକ ଡିଭିଜନର ଯୁଗ୍ମ ସମ୍ପାଦକ ଶ୍ରୀ ନବ ମାହାର,ରେଢ଼ାଖୋଲ ଡିଭିଜନର ନାକଟିଦେଉଳ ରେଞ୍ଜ ସମ୍ପାଦକ ଶ୍ରୀ ଭିକାରୀ ପ୍ରଧାନ,ସମ୍ବଲପୁର ଡିଭିଜନର ଯୁଗ୍ମ ସମ୍ପାଦକ ରମେଶ ମାହାର, ଝାରସୁଗୁଡ଼ା ଡିଭିଜନର ଯୁଗ୍ମ ସମ୍ପାଦକ ଶ୍ରୀ ଅଶୋକ ମାଝୀ,ଶ୍ରୀ ନବ କିଶୋର ବେହେରା ,ଦେବଗଡ଼ ଡିଭିଜନର ଜ୍ଞାନେନ୍ଦ୍ର ଗଡ ନାୟକ ,ଶ୍ରୀ ଦେବଜ୍ୟୋତୀ ପଟ୍ଟନାୟକ (ମିଡ଼ିଆ ସେଲ ସଂଯୋଜକ) ଶ୍ରୀ ସୁମିତ କୁମାର ପଟେଲ,ଶ୍ରୀ ଚିତ୍ରସେନ ନାୟକ ଏବଂ ତୋଳାଳୀ ଶ୍ରୀମତୀ କବିତା ତିର୍କି,ଶ୍ରୀମତୀ ସୁସୁମା କୁସୁମା, ଶ୍ରୀମତୀ ପାର୍ବତୀ ଗଡରିଆ,ଶ୍ରୀମତୀ ପ୍ରମିଳା ପ୍ରଧାନ,ଶ୍ରୀମତୀ ଅନିତା ନାଏକ,ଶ୍ରୀମତୀ କନକ ସାହୁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
