ମେରୁ ଯାତ୍ରାରେ ଦଣ୍ଡ କଳାକାରମାନେ ସମ୍ବର୍ଦ୍ଧିତ
ବ୍ରହ୍ମପୁର, ତା. ୧୫/୦୪ :
କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ଭାଲିଆଝୋଳା, ଶ୍ରୀଶ୍ରୀ ଦକ୍ଷିଣ କାଳୀ ଦଣ୍ଡନୃତ୍ୟ ଦଳର କଳାକାରମାନଙ୍କୁ ପବିତ୍ର ମେରୁ ଉତ୍ସବ ଅବସରରେ ଆୟୋଜିତ ସାଂସ୍କୃତିକ ସଭାରେ ସମ୍ବର୍ଦ୍ଧିତ କରାଯାଇଛି। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୂଖ୍ୟ ଅତିଥିଭାବେ ଯୋଗଦେଇ ବିଧିବତ୍ ନାଟକର ଶୁଭ ଉଦ୍ଘାଟନ କରିବା ସହିତ ଦଣ୍ଡ ନୃତ୍ୟ କଳାକାରମାନେ ଗ୍ରାମୀଣ ଆଧ୍ୟାତ୍ମିକ ଚେତନା ପରିପୁଷ୍ଟିରେ ବିଶେଷ ସହାୟତା କରିଥାନ୍ତି ବୋଲି ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଉଦବୋଧନ ଦେଇଥିଲେ। ପରିଚାଳକ ବିଜୟ କୁମାର ମହାରଣା ଏହି ସାଂସ୍କୃତିକ ସଭାର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ନାଟ୍ୟ ପରିଚାଳକ ବିଜୟ କୁମାର ମହାରଣା, ନିର୍ଦ୍ଦେଶକ ପଞ୍ଚାନନ ପ୍ରଧାନ, ଉଦଘୋଷକ ଦୀପକ କୁମାର ପାଢ଼ୀ, ରୂପକାର ପ୍ରଫୁଲ୍ଲ ଚନ୍ଦ୍ର ନାୟକ ପ୍ରମୁଖଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଧୂଳି ଦଣ୍ଡ କଳାକାର, ଦଣ୍ଡ ସୁଆଙ୍ଗ କଳାକାର, ନାଟ୍ୟ ଦଳର ସହଯୋଗୀ ନାଟ୍ୟ ନିର୍ଦ୍ଦେଶକ, ନୃତ୍ୟ ଓ ସଙ୍ଗୀତ ନିର୍ଦ୍ଦେଶକ, କଥାଶିଳ୍ପୀ, ଯନ୍ତ୍ରସଂଗୀତବିତ୍ ତଥା ଅଭିନେତା-ଅଭିନେତ୍ରୀମାନଙ୍କୁ ପ୍ରଶଂସା ପତ୍ର ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁଙ୍କ ସହାୟତାରେ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ବୁଲା ପଟ୍ଟନାୟକ, ବିପ୍ର ଡାକୁଆ, ସୌରା ବାଡ଼ତ୍ୟା, ରବୀନ୍ଦ୍ର ପାତ୍ର, ଟିକି ବାବୁ, ସନ୍ତୋଷ ପାତ୍ର, ବଂଶୀଧର ସେଠୀ, ପି. ମହେନ୍ଦ୍ର, ପଞ୍ଚାନନ ଗୌଡ଼, ଟିକି ବେହେରା, ଆର. କୃଷ୍ଣମୂର୍ତ୍ତି, ସନ୍ଧ୍ୟା ପ୍ରଧାନଙ୍କ ସମେତ ଭାଲିଆଝୋଳା ଗ୍ରାମବାସୀବୃନ୍ଦ ସମ୍ମିଳିତ ସହଯୋଗ କରିଥିଲେ। ପରିଶେଷରେ ମଞ୍ଚ ଅଭିନେତା ଭୂଷଣ ପଟ୍ଟନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ନାଟକ ‘କଟି କଟି ଡବଲ କଟି’ ସଫଳ ପରିବେଷିତ ହୋଇଥିଲା।
