ସରକାରୀ ଜମି ଜବରଦଖଲରୁ ଉଚ୍ଛେଦ କଲା ପ୍ରଶାସନ।
ରଘୁନାଥପୁର(ନି.ପ୍ର): ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ କଟକ ପାରାଦୀପ୍ ରାସ୍ତା ପାର୍ଶ୍ବରେ ଥିବା ଗୋପାଳପୁର ଗ୍ରାମର କିଛି ବ୍ୟକ୍ତି ଦୀର୍ଘ ବର୍ଷ ଧରି ବ୍ୟକ୍ତିଗତ ଦଖଲରେ ଥିବା ସରକାରୀ ଜମିକୁ ଜବରଦଖଲରୁ ମୁକ୍ତ କରାଯାଇଛି। ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ମୁତାବକ ଅତିରିକ୍ତ ତହସିଲଦାର ମନୋଜ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଉକ୍ତ ଗ୍ରାମର କଟକ ପାରାଦୀପ ରାସ୍ତା ପାର୍ଶ୍ୱ ସରକାରୀ ଜମିରେ କିଛି ବ୍ୟକ୍ତିଙ୍କ ସ୍ଥାୟୀ ଭାବେ ରହିଥିବା ଦୋକାନ ଗୁଡ଼ିକ ଓ ଅନ୍ୟାନ୍ୟ ଘରକୁ ଜେସିପି ମେସିନ ଦ୍ବାରା ଉଛେଦ କରାଯାଇଛି। ରଘୁନାଥପୁର ଥାନା ଅଧିକାରୀ ପ୍ରେମଜିତ ଦାସଙ୍କ ନେତୃତ୍ୱରେ ୨ ସେକ୍ସନ ପୋଲିସ ନିୟୋଜିତ ହୋଇ ଏହି କାର୍ଯ୍ୟରେ ସହଯୋଗ କରିବା ସହିତ ଶାନ୍ତି ଶୃଙ୍ଖଳା ବଜାଇ ରଖିଥିଲେ। ଏହା ପୂର୍ବରୁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ରଘୁନାଥପୁର ଥାନା ଅନ୍ତର୍ଗତ ରାଧାନଗର ଗ୍ରାମର କିଛି ବ୍ୟକ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଯବର ଦଖଲରେ ଥିବାରୁ ଉଛେଦ କଲାଦିନ ତହସିଲ କର୍ମଚାରୀ ମାନଙ୍କୁ ଅଶ୍ରାବ୍ଯ ଭାଷାରେ କିଛି ବ୍ୟକ୍ତି ଗାଳି ଗୁଲଜ କରିବା ବେଳେ ପୁଲିସ ସୁରକ୍ଷା ଦେଇପାରି ନଥିଲା କି ସେତେବେଳର ଥାନା ଅଧିକାରୀ ଭଲ ରକମ ହାତ ଗୁଞ୍ଜା ନେଇ ଉଛେଦ କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲେ। ଆଜି ପର୍ଯ୍ୟନ୍ତ ସେହି ଉଛେଦ ଘଟଣା ଅଧା ବାଟରେ ଅଟକି ପଡିଚି ଓ ଅଭିଯୁକ୍ତମାନଙ୍କ ଉଛେଦ ହୋଇପାରି ନାହିଁ। କିନ୍ତୁ ଗୋପାଳପୁର ଠାରେ କିଛି ବ୍ୟକ୍ତି ଚା, ପାନ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ସେଠାରେ ଉଛେଦ କରିବା ଘଟଣା ପ୍ରଶାସନ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି ଉଛେଦ ସମୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଯନ୍ତ୍ରୀ ବେଦବ୍ୟାସ ସ୍ବାଇଁ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ କି ପୂର୍ବରୁ ସରକାରୀ ଜମି ଉନ୍ମୁକ୍ତ କରିବା ପାଇଁ ତହସିଲ ପକ୍ଷରୁ ଅବରୋଧକାରୀଙ୍କୁ ନୋଟିସ କରାଯାଇଥିଲା।ଏଥିରେ ସୁଫଳ ନମିଳିବାରୁ ସରକାରୀ ଜମି ଜବରଦଖଲକୁ ନେଇ ଉଚ୍ଚ ନ୍ୟାୟାଳୟରେ ୩୬୩୬୭/୨୫ ଏକ କେସ ଦାୟର ହୋଇଥିଲା। ଏଥିରେ ଉପଜିଲ୍ଲାପାଳ ଜଗତସିଂହପୁର ଓ ରଘୁନାଥପୁର ତହସିଲଦାରଙ୍କୁ ପକ୍ଷଭୂକ୍ତ କରାଯାଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ମୁତାବକ ଉପଜିଲ୍ଲାପାଳଙ୍କ ପକ୍ଷରୁ ଦୁଇଥର ନୋଟିସ ଦିଆଯିବା ପରେ ସୋମବାର ଜବରଦଖଲ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ କରାଯାଇ ଏ ସମ୍ପର୍କରେ ଅବରୋଧକାରୀଙ୍କୁ ଅବଗତ କରାଯାଇଥିଲା।
