ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ଯୁବଲେଖକଙ୍କ ସୃଜନୀ ମଞ୍ଚ
ଦେବଗଡ଼, ୧୧/୦୪: ଦେବଗଡ଼ ଜିଲ୍ଲାର ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ “ଯୁବଲେଖକ ସମ୍ମିଳନୀ” ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରୋହିତ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
ଏହି ସମ୍ମିଳନୀରେ ଅନୁଗୋଳ ଜିଲ୍ଲାର ପ୍ରସିଦ୍ଧ ଯୁବଲେଖକ ଓ ପ୍ରଧାନ ଶିକ୍ଷକ ଶ୍ରୀ ପୁଷ୍ପ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବମାନଙ୍କୁ ନିୟମିତ ଅଭ୍ୟାସ ଓ ସୃଜନଶୀଳ ଚିନ୍ତନ ଦ୍ୱାରା ଲେଖନୀକୁ ଉନ୍ନତ କରିବାକୁ ପ୍ରେରିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଲଳିତା ଅନନ୍ତ ଋଷିକୁଳ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁବ୍ରତ ଦାଶ ସାହିତ୍ୟର ମୂଲ୍ୟବୋଧ ଓ ସାମାଜିକ ଭୂମିକା ବିଷୟରେ ଆଲୋଚନା କରିଥିଲେ।
ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀ ବୁଦ୍ଧଦେବ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମଟିର ସଂଚାଳନା କରିଥିଲେ। ଏହି ଅବସରରେ ଅଧ୍ୟାପକ ଅଭୟ କୁମାର ସାହୁ, ସତୀଶ ମହାପାତ୍ର ତଥା ଅଣଶିକ୍ଷକ କର୍ମଚାରୀ ତ୍ରିପୁରା ମୋହନ ମାଝୀ, ଇନ୍ଦ୍ରମଣି ମାଝୀ, ନରୋତ୍ତମ ସାହୁ, ସଞ୍ଜୀତ କୁମାର ଶତପଥୀ, ଅଜିତ ପାତ୍ର, ପିପନ କୁମାର ସେଠୀ ଓ ଅନ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ସମ୍ମିଳନୀରେ ୧୮ ଜଣ ଯୁବଲେଖକ ଓ ୩୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଯୁବଲେଖକମାନେ କବିତା, ଗଳ୍ପ ଓ ନିବନ୍ଧ ପାଠ କରି ସ୍ରୋତାମାନଙ୍କ ମନକୁ ଆକର୍ଷିତ କରିଥିଲେ।
ଶେଷରେ ସମସ୍ତଙ୍କ ପାଇଁ ମିଷ୍ଟାନ୍ନ ବିତରଣ କରାଯାଇଥିଲା। ଏହି ସମ୍ମିଳନୀ ଯୁବମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ବୃଦ୍ଧି କରିବା ସହିତ ସୃଜନଶୀଳତାକୁ ପ୍ରୋତ୍ସାହନ ଦେଇଥିବାରୁ ସମସ୍ତଙ୍କ ମଧ୍ୟରେ ପ୍ରଶଂସା ଲାଭ କରିଛି।
