*ଯାଜପୁର ଜିଲ୍ଲାରେ ‘ଓଡ଼ିଆ ପକ୍ଷ’ ପାଳିତ; ଲୋକକଳା ଓ କଳାକାରଙ୍କୁ ସମ୍ମାନ ଯାଜପୁର*
ଯାଜପୁର -ତା ୧୦. ୦୪.(ଭଞ୍ଜଦୂତ : ସରୋଜ କୁମାର ଧଳ :ନିପ୍ର )
ଆଜି ଯାଜପୁର ଜିଲ୍ଲାର ପ୍ରତିଟି ବ୍ଲକରେ ‘ଓଡ଼ିଆ ପକ୍ଷ’ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ‘ଲୋକକଳା ପାଇଁ ଦିନଟିଏ’ ଶୀର୍ଷକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଓଡ଼ିଶାର ପାରମ୍ପରିକ ଲୋକକଳାକୁ ଉତ୍ସର୍ଗ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର, ପ୍ରତିଭାବାନ ସ୍ଥାନୀୟ ଲୋକକଳାକାର ଏବଂ ସମସ୍ତ ବ୍ଲକ କଳା ସଂସ୍କୃତି ସଂଘ (BKSS) ର ଉପସଭାପତିମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି। ଗ୍ରାମାଞ୍ଚଳର ଲୁପ୍ତପ୍ରାୟ ଲୋକକଳାକୁ ପୁନର୍ଜୀବିତ କରିବା ଏବଂ କଳାକାରମାନଙ୍କୁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଭବ୍ୟ ଉତ୍ସବ ପାଳନ କରି ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଦିନଟିକୁ ସମ୍ପୂର୍ଣ୍ଣ ଭାବେ ଦେଶୀୟ ଲୋକକଳା ଓ ସଂସ୍କୃତି ପ୍ରତି ଉତ୍ସର୍ଗ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସ୍ୱୀକୃତିପ୍ରାପ୍ତ କଳାକାର ମାନେ ମଧ୍ୟ ଯୋଗ ଦେଇଥିଲେ। ବିଶେଷ କରି ଧର୍ମଶାଳା, ବଡ଼ଚଣା, ଦଶରଥପୁର, କୋରେଇ ଏବଂ ଯାଜପୁର ଭଳି ବ୍ଲକର ଶତାଧିକ କଳାପ୍ରେମୀ ଏହି ଉତ୍ସବରେ ସାମିଲ ହୋଇ ଓଡ଼ିଆ ଭାଷା ଓ ସାହିତ୍ୟର ଗରିମା ବୃଦ୍ଧି କରିଥିଲେ । ଯାଜପୁରର କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ଭାବେ ବିବେଚିତ ହେଉଛି।
