*ଓଡ଼ିଆ ବହି ପଢିବା ଓ କିଣିବା ପାଇଁ ବରଗଡ଼ରେ ଜନସଚେତନତା କାର୍ଯ୍ୟକ୍ରମ-‘ଆସ ବହିଟିଏ କିଣିବା’*
ବରଗଡ଼:, ୦୯.୦୪.(ନି, ପ୍ର ) ବହି ଆମ ଜୀବନକୁ ଜ୍ଞାନର ଆଲୋକରେ ଆଲୋକିତ କରେ । ଆମ ଦୈନନ୍ଦିନ ଜୀବନରେ ବହିର ଆଦର ତଥା ଚାହିଦା ବୃଦ୍ଧି ପାଇଁ ‘ଓଡ଼ିଆ ପକ୍ଷ’ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ‘ଆସ ବହିଟିଏ କିଣିବା’ ଅଭିଯାନ ଆରମ୍ଭ କରାଯାଇଛି ।
ଏହି କ୍ରମରେ, ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ!ଳୟ ପ୍ରାଙ୍ଗଣରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସ୍ଥାନୀୟ ପୁସ୍ତକ ବିକ୍ରେତା ଓଡ଼ିଆ ଭାଷାରେ ଲିଖିତ ବିଭିନ୍ନ ବହି ବିକ୍ରି ଥିବା ବେଳେ , ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉତ୍କଳ ପ୍ରସଙ୍ଗ ପତ୍ରିକା ବିକ୍ରି କରାଯାଇଥିଲା । ସ୍ଥାନୀୟ ଜଣସାଧାରଣ ତଥା ଜିଲ୍ଲା ପାଠାଗାରର ସମସ୍ତ ପାଠକ ପାଠିକା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୁସ୍ତକ କିଣିବା ସହ ଜଣେ ସାରଥି ଭାବେ ଅନ୍ୟ ମାନଙ୍କୁ ଓଡିଆ ବହି ପଢିବାକୁ ପ୍ରେରିତ କରିବା ପାଇଁ ଶପଥ ନେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଉପସ୍ଥିତ ସମସ୍ତ ପାଠକଙ୍କୁ ଓଡ଼ିଆ ଭାଷାରେ ଲିଖିତ ବିଭିନ୍ନ ବହି ପଢିବା, ବହିର ଆଦର ଏବଂ ଚାହିଦା ବଢାଇବା ପାଇଁ ନିଜ ପସନ୍ଦ ଅନୁଯାୟୀ ବହି କିଣିବା, ନିଜ ପସନ୍ଦର ବହି ସାଙ୍ଗସାଥିଙ୍କୁ ଉପହାର ଭାବେ ପ୍ରଦାନ କରିବା ଏବଂ ଶିକ୍ଷାର ପ୍ରସାର ତଥା ବହିର ମହତ୍ତ୍ଵ ବିଷୟରେ ଅନ୍ୟମାନଙ୍କୁ ସଚେତନ କରିବାପାଇଁ ଅନୁରୋଧ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲାଙ୍କ ସମେତ ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଆଶିଷ କୁମାର ସୁନା, ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ତାହିର ହୁସେନ ଉପସ୍ଥିତ ରହି ସମସ୍ତେ ଜୀବନରେ ବହିର ମହତ୍ତ୍ଵକୁ ସମ୍ମାନ ଜଣାଇବା, ବହିଟିଏ କିଣିବା, ପଢିବା ଏବଂ ଉପହାର ଦେବା ପାଇଁ ଅନୁରୋଧ ରଖିଥିଲେ ।
