ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ଉଦ୍ୟାପିତ
ଦେବଗଡ଼: ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଆଜି ସ୍ଥାନୀୟ ବାଳକ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ସହ ଶିଶୁ ବାଟିକାର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିଲେ। ସଭାପତି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଉପସ୍ଥିତ ଥିବାବେଳେ, ବରୋଣ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ପୌରପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରମୁଖ ଯୋଗ ଦେଇଥିଲେ।
ଅତିଥିମାନେ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ନୂତନ ଶିକ୍ଷା ନୀତି ଅନୁଯାୟୀ ୫ ବର୍ଷରୁ ଅଧିକ ଶିଶୁମାନଙ୍କ ପାଇଁ ଶିଶୁ ବାଟିକାରେ ନାମଲେଖା ମାଧ୍ୟମରେ ଗୁଣାତ୍ମକ, ସଂଗଠିତ ଓ ଅନୁଭୂତିମୂଳକ ଶିକ୍ଷା ପରିବେଶ ମିଳିପାରିବ।
ସଭାର ଆରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ରୂପରେଖା ଉପସ୍ଥାପନ କରିଥିଲେ। ସୁଗୁଡା ସି.ଆର୍.ସି.ସି. ପ୍ରାଣବନ୍ଧୁ ଘଡେଇ ମଞ୍ଚ ପରିଚାଳନା କରିଥିବାବେଳେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ।
ପୌରାଞ୍ଚଳର ୧୨ଟି ବିଦ୍ୟାଳୟରୁ ଆସିଥିବା ୧୦୦ ଜଣ ନୂତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଅତିଥିମାନଙ୍କ ଦ୍ୱାରା କିଟ ବଣ୍ଟନ କରାଯାଇଥିଲା। ପରେ ଉପସ୍ଥିତ ସମସ୍ତ ଶିଶୁଙ୍କୁ କିଟ ବଣ୍ଟନ କରାଯାଇଥିଲା ଓ ନୂତନ ଶିଶୁମାନଙ୍କ ପାଇଁ ଖଡ଼ିଛୁଆଁ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
ଏହାସହ ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ସଚେତନତା ସୃଷ୍ଟି ପାଇଁ ତିନୋଟି ସଚେତନତା ରଥକୁ ଅତିଥିମାନେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ସହ ଜିଲ୍ଲା ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
