*ମାରାଗୁଡା ଲୋକମହୋତ୍ସବ–୨୦୨୬ର ତୃତୀୟ ସନ୍ଧ୍ୟା: ସାଂସ୍କୃତିକ ସଭା ସହ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନ, ଅନନ୍ୟା ଶ୍ରୀତମ ନନ୍ଦଙ୍କ ଷ୍ଟାର ନାଇଟ୍ ମୁଖ୍ୟ ଆକର୍ଷଣ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୩/୦୪:
ନୂଆପଡ଼ା ଜିଲ୍ଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପର୍ବ “ମାରାଗୁଡା ଲୋକମହୋତ୍ସବ–୨୦୨୬”ର ତୃତୀୟ ସନ୍ଧ୍ୟା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ନେସନାଲ ମହାବିଦ୍ୟାଳୟ, ନୂଆପଡ଼ାରେ ଆୟୋଜିତ ଆଲୋଚନା ଚକ୍ରରେ ବିଭିନ୍ନ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସଂସ୍କୃତି, ଭାଷା ଓ ସମାଜ ବିଷୟରେ ମତାମତ ରଖିଥିଲେ।ସନ୍ଧ୍ୟାରେ ସାଂସ୍କୃତିକ ସଭା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭକ୍ତ ଚରଣ ଦାସ, ମାନ୍ୟବର ଅଧ୍ୟକ୍ଷ, ପ୍ରଦେଶ କଂଗ୍ରେସ କମିଟି, ଓଡ଼ିଶା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯୋଗଦେଇଥିଲେ।
ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସମୀର କୁମାର ସାହୁ, ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ), ନୂଆପଡ଼ା, ପୁଷ୍ପାଞ୍ଜଳି ନନ୍ଦ, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ଖଡ଼ିଆଳ, ଉତ୍କଳ ଗୁପ୍ତା, ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଖଡ଼ିଆଳ, ମୁରଲୀଧର ଭୋଇ, ସଭ୍ୟ, ଜିଲ୍ଲା ପରିଷଦ, ନୂଆପଡ଼ା, ତନୟା ଶବର, ସଭ୍ୟା, ଜିଲ୍ଲା ପରିଷଦ, ନୂଆପଡ଼ା, ଭରତଲାଲ ରାଉତ, ସଭ୍ୟ, ଜିଲ୍ଲା ପରିଷଦ, ନୂଆପଡ଼ା ଏବଂ କିଶୋର ଚନ୍ଦ୍ର ଅଗସ୍ତି, ବିଶିଷ୍ଟ ଲେଖକ ଓ ସମାଜସେବୀ ଉପସ୍ଥିତ ଥିଲେ।ମୁଖ୍ୟ ବକ୍ତା ଭାବେ ମଧୁ ମିଶ୍ର, ବିଶିଷ୍ଟ ଲେଖିକା ସାହିତ୍ୟ ଓ ସଂସ୍କୃତିର ମୂଲ୍ୟବୋଧ ଉପରେ ଆଲୋକ ପାତ କରିଥିଲେ। ପ୍ରଫେସର କୈଲାଶ ଚନ୍ଦ୍ର ଟିକାୟତରାୟ, ଲବ୍ଧପ୍ରତିଷ୍ଠ ଭାଷାବିତ୍ ଭାଷା ଓ ସଂସ୍କୃତିର ଅଭିନ୍ନ ସମ୍ପର୍କ ବିଷୟରେ ମତ ପ୍ରକାଶ କରିଥିଲେ। ସଭାପତି ଭାବେ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ନୂଆପଡ଼ା ସଭାକୁ ସଫଳ ଭାବେ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ବରେଣ୍ୟ ଅତିଥିମାନଙ୍କ ଶୁଭ ଆଗମନ ପରେ ପ୍ରଦୀପ ପ୍ରଜ୍ଜଳନ ଓ ପୂଜାର୍ଚ୍ଚନା କରାଯାଇଥିଲା। ପରେ ମୁଖ୍ୟମଞ୍ଚରେ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଓ “ବନ୍ଦେ ଉତ୍କଳ ଜନନୀ” ଗୀତରେ ସଭାର ଶୁଭାରମ୍ଭ ହୋଇଥିଲା।
ଏହି ଅବସରରେ କିଶୋର ଚନ୍ଦ୍ର ଅଗସ୍ତି (ବିଶିଷ୍ଟ ଲେଖକ ଓ ସମାଜସେବୀ), ମଧୁ ମିଶ୍ର (ବିଶିଷ୍ଟ ଲେଖିକା), ଯୋଗେଶ୍ବର ରାଉତରାୟ (ବିଶିଷ୍ଟ ଲେଖକ ଓ ସମାଜସେବୀ), ନନ୍ଦଲାଲ ବାରିକ (ବିଶିଷ୍ଟ ଗାୟକ), ଉପେନ୍ଦ୍ର ମୁଣ୍ଡ (ବିଶିଷ୍ଟ କ୍ରୀଡାବିତ), ଠାକୁର ଦାସ ମହାନନ୍ଦ (ବିଶିଷ୍ଟ ସମାଜସେବୀ), ଚିନୁ ରଣା (ଟେରାକୋଟା ଓ ମାଟି ପାତ୍ର ଶିଳ୍ପୀ), ଶରତ କୁମାର ସାହୁ (ଅବସରପ୍ରାପ୍ତ ସୈନିକ ଓ ଶିକ୍ଷକ), ରାମେଶ୍ବର ଦାସ (କଣ୍ଠଶିଳ୍ପୀ) ଓ ସୱାରେ ଆଲାମ ଖାନ (ଗୋମିତ୍ର)ଙ୍କୁ ସମ୍ମାନିତ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାଲେଭଟା, ଘୁମୁରା ଦଳ ମରଗାଁ, ସେଣ୍ଟ ମେରୀ କନଭେଣ୍ଟ ବିଦ୍ୟାଳୟ ନୂଆପଡ଼ା, ସୁର ପୀରତି ଅନୁଷ୍ଠାନ ଖଡ଼ିଆଳ, ସତୀ ଗ୍ରୁପ ନୂଆପଡ଼ା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆର ରୋଡ଼ ଓ ପାୟଲ ସାଂସ୍କୃତିକ ଅନୁଷ୍ଠାନ ସିରତୋଲ ଭଳି ବିଭିନ୍ନ ଦଳ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ।ପରେ ଷ୍ଟାର ନାଇଟ୍ ରେ ଲୋକପ୍ରିୟ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ଓ ସାଥୀମାନେ ସୁରିଲା ସଙ୍ଗୀତରେ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲେ।
ତୃତୀୟ ଦିନରେ ବିପୁଳ ସଂଖ୍ୟକ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ସମଗ୍ର ପରିବେଶ ଉତ୍ସବମୟ ହୋଇଯାଇଥିଲା।
