ଜନଗଣନା ନିମନ୍ତେ ରାୟଗଡ଼ ପ୍ରସ୍ତୁତ(ରାୟଗଡ଼ ରମେଶ ଅଗ୍ରୱାଲ.:ନିପ୍ର)ତା 3.4.2026
ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ହେବାକୁଥିବା ଜନଗଣନା କାର୍ଯ୍ୟ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି | ଜନଗଣନା ନିମନ୍ତେ ଜିଲ୍ଲା ସ୍ତରରେ କ୍ଷେତ୍ର ତାଲିମଦାତାଙ୍କ ତାଲିମ ପରେ ପ୍ରତି ବ୍ଳକ, ଏନଏସି ଓ ପୌରାଞ୍ଚଳରେ ଗଣନାକାରୀ ଓ ପରିଦର୍ଶନକାରୀଙ୍କୁ ତାଲିମ ପ୍ରଦାନ କରାଯାଉଛି |
ରାୟଗଡ଼ ତହସିଲଦାର ତଥା ଚାର୍ଜ ଅଧିକାରୀ ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ଵାଇଁ ରାୟଗଡ଼ ବ୍ଳକ ଅଞ୍ଚଳରେ ଜନଗଣନା ନିମନ୍ତେ ତିନିଶହ ଷୋହଳ ଜଣ ଗଣନାକାରୀ ଓ ସୁପରଭାଇଜରଙ୍କ ନିଯୁକ୍ତି ସହ ତାଲିମ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିଛନ୍ତି | ରାୟଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଗତ ମାର୍ଚ୍ଚ ଉଣେଇଶି ତାରିଖରୁ ଆରମ୍ଭ ହୋଇଥିବା ଏହି ତାଲିମ ଆସନ୍ତା ଏପ୍ରିଲ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଚାଲିବ | ଜିଲ୍ଲା ସ୍ତରରେ ତାଲିମ ପ୍ରାପ୍ତ କ୍ଷେତ୍ର ତାଲିମଦାତା ରୂପେ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର, ରମେଶ ଚନ୍ଦ୍ର ସାହୁ, ମନୋରଞ୍ଜନ ମିଶ୍ର ଓ ଗୌରୀ ପ୍ରାସାଦ ବେହେରା ସାତୋଟି ଦଳରେ ଏହି ତାଲିମ ପ୍ରଦାନ କରୁଛନ୍ତି | ସହକାରୀ ତହସିଲଦାର ଶିମନ୍ତ କୁମାର ସାହୁ ଓ ସହଯୋଗୀ ରଞ୍ଜନ କୁମାର ସିଂଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ତାଲିମରେ ଜନଗଣନାର ଆବଶ୍ୟକତା, ବିଲଡିଂ,ଗୃହ ଓ ପରିବାର ଗଣନା, ମୋବାଇଲ ଆପ ମାଧ୍ୟମରେ ତେତିଶ ଗୋଟି ପ୍ରଶ୍ନର ଉତ୍ତର ସଂଗ୍ରହ କୌଶଳ ଓ ଆପର ବ୍ୟବହାର ଉପରେ ତାଲିମ ପ୍ରଦାନ କରାଯାଇଥିଲା |
ଏପ୍ରିଲ ଏକ ତାରିଖରେ ରାୟଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ନିଜ ପରିବାରର ତଥ୍ୟକୁ ସ୍ଵୟଂ ଗଣନା ମାଧ୍ୟମରେ ପ୍ରଦାନ କରିଛନ୍ତି | ଆସନ୍ତା ପନ୍ଦର ତାରିଖ ମଧ୍ୟରେ ଅନ୍ଲାଇନ୍ ମାଧ୍ୟମରେ ନିଜର ତଥ୍ଯକୁ ସ୍ଵୟଂ ଗଣନା କରିବା ନିମନ୍ତେ ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି | ଆସନ୍ତା ଷୋହଳ ତାରିଖରୁ ମଇ ମାସ ପନ୍ଦର ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ | ଏଣୁ, ଉଚିତ ତଥ୍ୟ ପ୍ରଦାନ କରି ଗଣନାକାରୀଙ୍କୁ ସହଯୋଗ କରିବା ନିମନ୍ତେ ତହସିଲଦାର ପ୍ରିୟଦର୍ଶିନୀ ସ୍ଵାଇଁ ରାୟଗଡ଼ ବାସୀଙ୍କୁ ଅନୁରୋଧ କରିଛନ୍ତି |
