*ନୂଆପଡାରେ ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳ ଆୟୁକ୍ତଙ୍କ ସମୀକ୍ଷା ବୈଠକ: ରାଜସ୍ୱ ଆଦାୟ ଅଗ୍ରଗତି, ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ପାଇଁ ଜିଲ୍ଲା ପ୍ରଶାସନକୁ ଆରଡିସିଙ୍କ ପ୍ରଶଂସା l*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୨/୦୪
ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳ ଆୟୁକ୍ତ, ସମ୍ବଲପୁର ସଂଗ୍ରାମ କେଶରୀ ମହାପାତ୍ରଙ୍କ ନୂଆପଡ଼ା ଗସ୍ତ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଶ୍ରୀ ମହାପାତ୍ର ଚଳିତ ‘ମାରାଗୁଡା ଲୋକମହୋତ୍ସବ–୨୦୨୬’ର ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ ଏହି ବୈଠକ ଆୟୋଜିତ ହୋଇଥିଲା।ବୈଠକର ଅଧ୍ୟକ୍ଷତା କରି ସେ ମାସିକ ରାଜସ୍ୱ ବୈଠକର ବିବରଣୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେଉଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ରାଜସ୍ୱ ଆଦାୟ କ୍ଷେତ୍ରରେ ତହସିଲଦାରମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ। ପାଞ୍ଚଟି ବ୍ଲକରେ ମୋଟ ଦାବି ରାଶି ୧,୬୮,୧୬,୯୯୫ ଟଙ୍କା ଥିବାବେଳେ ୩୧.୦୩.୨୦୨୬ ପର୍ଯ୍ୟନ୍ତ ମୋଟ ଆଦାୟ ୨,୫୮,୨୬,୦୩୬ ଟଙ୍କା ହୋଇ ୧୫୩ ପ୍ରତିଶତ ସଫଳତା ହାସଲ କରାଯାଇଥିବା ସୂଚନା ମିଳିଛି lରାଜସ୍ୱ ମାମଲା ସମାଧାନ ସମ୍ପର୍କରେ ସମୀକ୍ଷା ରୁ ଜଣାପଡ଼ିଥିଲା ଯେ, ମୋଟ ୩୯,୧୪୩ ଟି ମାମଲା ନିଷ୍ପତ୍ତି ପାଇଁ ଗ୍ରହଣ କରାଯାଇଥିବା ବେଳେ ୩୩,୯୩୬ଟି ମାମଲାର ସମାଧାନ କରାଯାଇ ୮୬.୭୦ ଶତାଂଶ ସଫଳତା ହାସଲ କରାଯାଇଛି। ଅବଶିଷ୍ଟ ୫,୨୦୭ ଟି ମାମଲା ନିଷ୍ପତ୍ତି ପାଇଁ ରହିଛି। ବିଭିନ୍ନ ଶ୍ରେଣୀରେ ଓ.ପି.ଏଲ.ଇ (ରୁରାଲ), ଓ.ଜି.ଏଲ.ଏସ, ମ୍ୟୁଟେସନ, ଓ.ଏଲ.ଆର, ବେବନ୍ଦୋବସ୍ତ ଓ ଅଲିଏନେସନ ମାମଲାରେ ସନ୍ତୋଷଜନକ ଅଗ୍ରଗତି ହୋଇଛି।ଏହାସହିତ ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ ଫିସ ଆଦାୟ ସମ୍ପର୍କରେ ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ଲକ୍ଷ୍ୟ ୭.୪୮ କୋଟି ଟଙ୍କା ସ୍ଥଳେ ୮.୬୫ କୋଟି ଟଙ୍କା ଆଦାୟ ହୋଇ ୧୧୫.୬୫ ଶତାଂଶ ସଫଳତା ହାସଲ କରାଯାଇଛି। ଷ୍ଟାମ୍ପ ଶୁଳ୍କରେ ୬.୦୧ କୋଟି ଓ ରେଜିଷ୍ଟ୍ରେସନ ଫିସରେ ୨.୬୩ କୋଟି ଟଙ୍କା ଆଦାୟ ହୋଇଛି।
ଏହା ସହିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ନୂଆପଡ଼ାର ରାଜସ୍ୱ ଆଦାୟ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଫେବୃଆରୀ ୨୦୨୬ ମାସରେ ୧.୫୫ କୋଟି ଟଙ୍କା ଲକ୍ଷ୍ୟ ରୁ ୧.୫୪ କୋଟି ଟଙ୍କା ଆଦାୟ ହୋଇ ୯୮ ଶତାଂଶ ସଫଳତା ହାସଲ କରାଯାଇଛି। ସମଗ୍ର ଅବଧିରେ ୧୩.୮୮ କୋଟି ଟଙ୍କା ଆଦାୟ ହୋଇଥିବା ସହ ପୂର୍ବବର୍ଷ ତୁଳନାରେ ୧୪.୪୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି।ବୈଠକରେ ଜିଲ୍ଲା ପ୍ରଶାସନ ଦ୍ୱାରା ଗୃହୀତ କିଛି ଉତ୍ତମ ପ୍ରୟାସ ଯଥା ‘ଗାଁରେ ରାଜସ୍ୱ ପ୍ରଶାସନ’, ‘ପରିବର୍ଦ୍ଧିତ ଜନ ଶୁଣାଣି’, ‘ପ୍ରାଣୀ ପାଇଁ ଦିନଟିଏ’ ଏବଂ ‘ଝିଅ ପାଇଁ ଗଛଟିଏ’ ବିଷୟରେ ଆରଡିସିଙ୍କୁ ଅବଗତ କରାଯାଇଥିଲା।ଏହାସହିତ ନୂଆପଡ଼ା ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବାରେ ଜିଲ୍ଲା ପ୍ରଶାସନଙ୍କ ଉଲ୍ଲେଖନୀୟ ସଫଳତାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ପରିବେଶ ସୁରକ୍ଷା ଦିଗରେ ଏହା ଏକ ଦୃଢ଼ ଓ ଦୂରଦର୍ଶୀ ପଦକ୍ଷେପ। ପ୍ଲାଷ୍ଟିକ ବ୍ୟବହାର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଗ୍ରହୀତ ସଚେତନତା କାର୍ଯ୍ୟକ୍ରମ, ଅଧିକାରୀ ଓ ଜନସାଧାରଣଙ୍କ ସକ୍ରିୟ ଭାଗିଦାରି ଫଳରେ ଏହି ସଫଳତା ସମ୍ଭବ ହୋଇପାରିଛି । ଏହି ଉଦ୍ୟମ ଅନ୍ୟ ଜିଲ୍ଲାମାନଙ୍କ ପାଇଁ ମଧ୍ୟ ଏକ ଆଦର୍ଶ ରୂପେ ପରିଣତ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।ଏହି ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ-ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଡେପୁଟି କଲେକ୍ଟର ସୁଶ୍ରୀ ସୁଚିସ୍ମିତା ମହାନ୍ତିଙ୍କ ସହିତ ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
