ଆନନ୍ଦମାର୍ଗ ଜାଗୃତି ବିଦ୍ୟାଳୟର ବାର୍ଷିକ ଉତ୍ସବ। ରଘୁନାଥପୁର(ନି.ପ୍ର): କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉତ୍ତରକୂଳ ସ୍ଥିତ ଆନନ୍ଦମାର୍ଗ ଜାଗୃତି ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଚାର୍ଯ୍ୟ ବିଷୁଦ୍ଧାତ୍ମାନନ୍ଦ ଅବଧୂତ ଯୋଗଦେଇ ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ଆଧ୍ୟାତ୍ମିକ ଦିଗରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ଅରିନ୍ଦମାନନ୍ଦ ଅବଧୂତ ଯୋଗଦେଇ ଶିକ୍ଷା ହେଉଛି ପିଲାମାନଙ୍କର ଅମୁଲ୍ୟ ସଂପଦ ଓ ଶିକ୍ଷା ବିନା ଜୀବନ ଅନ୍ଧକାରମୟ ହୋଇଯାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଆଚାର୍ଯ୍ୟ ବିମୁକ୍ତାନନ୍ଦ ଅବଧୂତ, ଆଚାର୍ଯ୍ୟ ଚିରଞ୍ଜିବାନନ୍ଦ ଅବଧୂତ, ଆଚାର୍ଯ୍ୟ ସୁଶୋଭାନନ୍ଦ ଅବଧୂତ, ଅବଧୂତିକା ଆନନ୍ଦ ରୁପାତିତା ଆଚାର୍ଯ୍ୟ ଓ ଆଚାର୍ଯ୍ୟ ଚିରଞ୍ଜୟାନନ୍ଦ ଅବଧୂତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅଜ୍ଞାନ ରୂପକ ଅନ୍ଧକାରକୁ ଶିକ୍ଷା ରୂପକ ଆଲୋକ ଦୂର କରିଥାଏ ବୋଲି କହିଥିଲେ। ଏଥିରେ ଆନନ୍ଦମାର୍ଗ ଜାଗୃତି ବିଦ୍ୟାଳୟର ମୁଖ୍ୟ ସଂପାଦକ ଚିତ୍ତରଞ୍ଜନ ରାଉତ ପୌରହିତ୍ୟ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ରାଜଶ୍ରୀ ବେଉରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ସୁଶାନ୍ତ କୁମାର ସୂତାର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
