ଢେଙ୍କାନାଳରେ ବାଦ୍ୟକାର ମହାସଂଘ ଗଠନ : କଳାକାରମାନଙ୍କର ଏକତାର ନୂଆ ପଦକ୍ଷେପ
▪️କଳାକାରମାନଙ୍କ ଅଧିକାର ଓ ସମ୍ମାନ ପାଇଁ ଏକତାର ସଂକଳ୍ପ
▪️ବାଦ୍ୟକାରମାନଙ୍କ ସାମୂହିକ ଉନ୍ନତି ପାଇଁ ନୂଆ ମଞ୍ଚ
▪️ଆଗାମୀ ଦିନରେ ସମସ୍ୟା ସମାଧାନ ପାଇଁ ମହାସଂଘର ପ୍ରୟାସ
▪️ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଦ୍ୟକାରମାନଙ୍କର ବ୍ୟାପକ ଯୋଗଦାନ
(କାମାକ୍ଷାନଗର -ରୁ ଧର୍ମାନନ୍ଦ ସେଠି ଙ୍କ ଖବର )
ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ୍ ଅନ୍ତର୍ଗତ ମୁରୁଗା ଗ୍ରାମରେ ଆଜି ଏକ ଐତିହାସିକ ପଦକ୍ଷେପ ଭାବେ ବାଦ୍ୟକାର ମହାସଂଘର ଗଠନ କରାଯାଇଛି | ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବାଦ୍ୟକାରମାନେ ଏକତ୍ରିତ ହୋଇ ସଂଗଠନକୁ ସୁଦୃଢ଼ କରିବାରେ ସମ୍ମତି ଜଣାଇଥିଲେ | ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ବାଦ୍ୟକାରମାନେ ସକ୍ରିୟ ଭାଗ ନେଇ ସଂଘରେ ନିଜ ନାମ ପଞ୍ଜୀକୃତ କରିଥିଲେ | କଳା ଓ ସଂସ୍କୃତିର ଉନ୍ନତି ସହ ବାଦ୍ୟକାରମାନଙ୍କର ଅଧିକାର ସୁରକ୍ଷା ପାଇଁ ଏହି ସଂଗଠନ ଗଠନ ହୋଇଥିବା କୁହାଯାଇଛି | ନବଗଠିତ “ବାଦ୍ୟକାର ମହାସଂଘ ଢେଙ୍କାନାଳ”ର ସଭାପତି ଭାବେ ମୁରୁଗା ଗ୍ରାମର ବିଜୟ ନାଏକଙ୍କୁ ନିଯୁକ୍ତ କରାଯାଇଥିବାବେଳେ, ସମ୍ପାଦକ ଭାବେ କାଶୀପୁର ଗ୍ରାମର ରାଜେନ୍ଦ୍ର ନାଏକ ଓ କୋଷାଧକ୍ଷ ଭାବେ ମାନସ ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି | ସଂଘର ସଦସ୍ୟମାନେ କହିଛନ୍ତି ଯେ, ଆଗାମୀ ଦିନରେ ବାଦ୍ୟକାରମାନଙ୍କ ସମସ୍ୟା ସମାଧାନ, ସମ୍ମାନ ବୃଦ୍ଧି ଓ ସାମୂହିକ ଉନ୍ନତି ପାଇଁ ଏହି ମହାସଂଘ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ |
