ବରଗଡ଼ରେ ଧୁମଧାମରେ ପାଳିତ ଇଦ୍-ଉଲ୍-ଫିତର
ଇଦଗାହରେ ସାମୁହିକ ନମାଜ, ଭାଇଚାରା ଓ ଶାନ୍ତିର ସନ୍ଦେଶ
ବରଗଡ଼:୨୧/୦୩(ନି, ପ୍ର) -ଶନିବାର ପବିତ୍ର ଇଦ୍-ଉଲ୍-ଫିତର ପର୍ବ ଶାନ୍ତିପୂର୍ଣ୍ଣ ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି। ରମଜାନର ପବିତ୍ର ମାସ ଅବସାନ ପରେ ଏହି ପର୍ବକୁ ମୁସଲିମ ସମ୍ପ୍ରଦାୟ ଦ୍ୱାରା ଧାର୍ମିକ ଆଚାର-ବିଚାର ସହ ପାଳନ କରାଯାଇଥାଏ।
ଶନିବାର ସକାଳେ ଡେମ୍ କଲୋନୀ ସ୍ଥିତ ଇଦଗାହରେ ବିଶାଳ ସଂଖ୍ୟକ ମୁସଲିମ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ସାମୁହିକ ନମାଜ ପାଠ କରିଥିଲେ। ଜାମା ମସଜିଦର ଇମାମ ମୌଲାନା ମୁନୀରୁଦ୍ଦିନ ରିଜବୀ ଙ୍କ ନେତୃତ୍ୱରେ ନମାଜ ପାଠ ହୋଇଥିଲା। ନମାଜ ପରେ ଶ୍ରଦ୍ଧାଳୁମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ଶୁଭେଚ୍ଛା ବିନିମୟ କରିଥିଲେ ଏବଂ ଦେଶର ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଇଦ୍-ଉଲ୍-ଫିତର ଅବସରରେ ଜକାତ ଦାନର ପରମ୍ପରାକୁ ଅନୁସରଣ କରି ଗରିବ ଓ ଆବଶ୍ୟକତାମନ୍ଦଙ୍କୁ ସାହାଯ୍ୟ କରାଯାଇଥିଲା। ଘରେ ଘରେ ପାରମ୍ପରିକ ମିଠା ସେମାଇ ପ୍ରସ୍ତୁତ କରାଯାଇ ପରିବାର ଓ ପରିଚିତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।
