ରାମ ନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲେଶ୍ୱର, ତାରିଖ – ୧୭/୦୩/୨୦୨୬ (ଅମରଦୀପ କୁମାର ସିଂ) ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ବାଲେଶ୍ୱର ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ରାମ ନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୫ ମାର୍ଚ୍ଚ ଠାରୁ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ରାମ ନବମୀ ଓ ୧୪ ଏପ୍ରିଲ ରେ ହନୁମାନ ଜୟନ୍ତୀ ପାଳନ କରାଯିବ । ବାଲେଶ୍ୱର ସହରରେ ଏହି ପର୍ବକୁ କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ, ସେଥି ନେଇ ଶାନ୍ତି କମିଟି, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଏହି ସଭାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିଲେ । ତାଙ୍କ ସହିତ ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଦେବଜ୍ଯୋତି ଦାଶ, ଉପ ଜିଲ୍ଲାପାଳ, ବାଲେଶ୍ୱର ଶ୍ରୀଯୁକ୍ତ ଶିବ ମାଲବ୍ୟ, ଉପ ଜିଲ୍ଲାପାଳ, ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ଆଇପିଏସ୍ ଅଧିକାରିଣୀ ଶ୍ରୀମତୀ ମନିଶା ସାଉଗୁନ ମଞ୍ଚାସିନ ଥିଲେ। ଏଠାରେ ଅନେକ ହିନ୍ଦୁ ସମ୍ପ୍ରଦାୟର ଭାଇମାନେ ଯୋଗ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଦେବଜ୍ଯୋତି ଦାଶ ମଞ୍ଚ ପରିଚାଳନା କରିଥିଲେ। ବାଲେଶ୍ୱର ସହରରେ ରାମ ନବମୀକୁ ୨୫ ମାର୍ଚ୍ଚ ରୁ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଖୁବ ଧୁମଧାମରେ ପାଳନ କରାଯିବ । ୨୫ ମାର୍ଚ୍ଚ ଦିନ କଳସ ଯାତ୍ରା, ୨୬ ମାର୍ଚ୍ଚ ଦିନ ମୋଟରସାଇକେଲ ରାଲି ଓ ୨୭ ମାର୍ଚ୍ଚ ଦିନ ପଦଯାତ୍ରା ହେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଆଗାମୀ ୧୪ ଏପ୍ରିଲ ରେ ହନୁମାନ ଜୟନ୍ତୀ ପାଳନ କରାଯିବ । ଏଥିନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପର୍ଶସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଳନ କରାଯିବ ବୋଲି ଏହି ସଭାରେ ଆଲୋଚଳନା ହୋଇଥିଲା । ପାଣି ବ୍ୟବସ୍ଥା ସହିତ ବିଦ୍ୟୁତ୍ ସେବାରେ ଯେପରି ବାଧା ସୃଷ୍ଟି ନୋ ହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆ ଯିବ ବୋଲି ଏଠାରେ ଆଲୋଚନା ହୋଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଖୁବ୍ କଡାକଡି କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଥିଲେ ।
