*ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ୧୦୭୩ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ*
# ‘ଅରୁଣିମା’ କାର୍ଯ୍ୟକ୍ରମ ରେ ପ୍ରଦାନ କରାଗଲା ଫେଲୋସିପ
କୋଇଡ଼ା, ୧୬.୦୩.୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କୋଇଡ଼ା ସ୍ଥିତ କୋଦଡିହା ଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ଅରୁଣିମା’ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅନୁଷ୍ଠିତ ଜ୍ୟୋତି ଫେଲୋସିପ୍ ପ୍ରଦାନ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ୧,୦୭୩ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ସହ ଉଚ୍ଚଶିକ୍ଷା ପାଇଁ ବୃତ୍ତି ପ୍ରଦାନ କରାଯାଇଛି।
ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ଆଭିମୁଖ୍ୟ ରହିଛି ‘ୱାଟର ଆକ୍ସନ ଡିକେଡ-ଜଳ ସମ୍ବନ୍ଧୀୟ ଆହ୍ୱାନର ସମାଧାନ” । ଟାଟା ଷ୍ଟିଲ ଫାଇଣ୍ଡେସନର ଏହି ଅଭିନବ ପ୍ରୟାସ ବିଶ୍ୱସ୍ତରୀୟ ଆହ୍ୱାନ ‘ସ୍ଥାୟୀ ବିକାଶ ପାଇଁ ଜଳ’ ସହିତ ସମନ୍ୱୟ ରଖୁଛି।
ଏହି ଅବସରରେ କୋଇଡ଼ା ବ୍ଲକ ଶିକ୍ଷା ଅଧିକାରୀ ଅଭିମନ୍ୟୁ ବେହେରା, କୋଇଡ଼ା ବ୍ଲକ ଅଧ୍ୟକ୍ଷ ସୁରେଶ ନାୟକ, କୋଇଡ଼ା ଜିଲ୍ଲାପରିଷଦ ସଭ୍ୟ ଅଶୋକ ନାୟକ, ପIଟ୍ଟମୁଣ୍ଡା ସରପଞ୍ଚ ଅବିନାଶ ସୁମନ ବାଗେ, କଳମଙ୍ଗ ଖଣି ହେଡ ଏନ୍ ଶ୍ରୀନିବାସ ରାଓ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ଯୋଡ଼ା ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ରବୀନ୍ଦ୍ର କୁମାର, କୋଇଡ଼ା ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ଭରତ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀମାନଙ୍କ ପାଇଁ କ୍ୟାରିୟର କାଉନସେଲିଂ ସହ ଜଳ ସଂରକ୍ଷଣ ଉପରେ ସଚେତନତା ଶିବିର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଯୋଡ଼ା ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ରବୀନ୍ଦ୍ର କୁମାର କହିଥିଲେ ଯେ, ‘ଅରୁଣିମା’ ମାଧ୍ୟମରେ ଶିକ୍ଷା, ସାମୁଦାୟିକ ନେତୃତ୍ୱକୁ ଏକତ୍ର କରି ଯୋଡ଼ା, କୋଇଡ଼ା ଓ ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କୁ ସଶକ୍ତ କରିବା ଆମର ଉଦ୍ଦେଶ୍ୟ। ଶିକ୍ଷାର୍ଥୀ, ମହିଳା ନେତୃତ୍ୱ ଏବଂ ଚାଷୀମାନଙ୍କୁ ଏଥିରେ ସାମିଲ କରିବା ସହ ଦାୟିତ୍ୱପୂର୍ଣ୍ଣ ଜଳ ପରିଚାଳନାକୁ ପ୍ରୋତ୍ସାହିତ କରିବା ଆମର ଲକ୍ଷ୍ୟ, ଯାହାଦ୍ୱାରା ଏକ ସଚେତନ ସମାଜ ଗଠନରେ ସେମାନେ ନେତୃତ୍ୱ ନେଇପାରିବେ।
କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ମହିଳା ନେତୃତ୍ୱ ଏବଂ ସ୍ଥାୟୀ ଜୀବିକା ଉପରେ ଗୁରୁତ୍ୱାରୋପ କରାଯିବ। ‘ପ୍ରୋଜେକ୍ଟ ଦିଶା’ ଅଧୀନରେ ମହିଳା ଓ ବାଳିକାମାନଙ୍କ ମଧ୍ୟରେ ସାମାଜିକ-ରାଜନୈତିକ ସଚେତନତା, ନେତୃତ୍ୱ ବିକାଶ ଏବଂ ଡିଜିଟାଲ ସାକ୍ଷରତା ସମ୍ପର୍କରେ ଆଲୋଚନା କରାଯିବ।
