ବିଶ୍ବ ମହିଳା ଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ
ବରଗଡ : ୦୭.୦୩.(ନି, ପ୍ର )ସ୍ଥାନୀୟ ପାର୍ବତୀଗିରି ମହିଳା ମହାବିଦ୍ୟାଳୟ ପରିସରରେ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଅଛି । ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଆବାହକ ଶ୍ରୀମତୀ ଗାୟତ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ମୁଖ୍ଯଅତିଥି ଓ ଏଡଭୋକେଟ୍ ସୁଜିତ କୁମାର ଦାଶ ମୁଖ୍ଯ ଆଲୋଚକ ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ.ପ୍ରଶାନ୍ତ କୁମାର ଦାଶ ସଭାର ଆଭିମୁଖ୍ଯ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ସୁଜିତ ଦାଶ ତାଙ୍କର ବକ୍ତବ୍ଯରେ ପୌରାଣିକ ଯୁଗରେ ନାରୀମାନଙ୍କ ପ୍ରତି ପୁରୁଷପ୍ରଧାନ ସମାଜର ଅତ୍ଯାଚାର ଓ ଶୋଷଣରୁ ଆରମ୍ଭ କରି ସାମ୍ପ୍ରତିକ ସମାଜରେ ନାରୀମାନଙ୍କ ସ୍ଥିତି ସଜାଡିବା ଦିଗରେ ଛାତ୍ରୀମାନେ ଉଚ୍ଚ ଶିକ୍ଷିତ ହୋଇ ଆତ୍ମ ନିର୍ଭରଶୀଳ ହେବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବରିଷ୍ଠ ଅଧ୍ୟାପକ ତୁଷାରକାନ୍ତି ତ୍ରିପାଠୀ, ଡଃ.ସତ୍ଯନାରାୟଣ ନନ୍ଦ, ସ୍ବର୍ଣ୍ଣପ୍ରଭା ମହାନ୍ତି ଓ ହୃଷିକେଶ ଦାଶ ବିଶ୍ବ ମହିଳା ଦିବସର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବହୁସଂଖ୍ୟାରେ ଛାତ୍ରୀ,ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇଥିଲେ। ସଭା ଶେଷରେ ଅଧ୍ୟାପିକା ସୁଧାରାଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
