ଶିକ୍ଷା ବିକାଶର ଚାବିକାଠି: ଗଣଶିକ୍ଷାମନ୍ତ୍ରୀ
ରାୟଗଡ଼ ତା 7.3.2026
(ରମେଶ ଅଗ୍ରୱାଲ.)
ଜିଲ୍ଲାସ୍ତରୀୟ ପିଏମଶ୍ରୀ ମେଳା ସହ ଆଭାସୀ ସଂସଦ କାର୍ଯ୍ୟକ୍ରମ ଦୁଇଦିନ ଧରି ଜିସିଡି ଉଚ୍ଚବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ଯୋଗଦେଇ ଉଦବୋଧନ ରଖିଥିଲେ | ବିକଶିତ ଭାରତ ଗଠନ ନିମନ୍ତେ ବିକଶିତ ଓଡିଶା ର ପ୍ରସ୍ତୁତି ଓ 2036 ମସିହା ସୁଦ୍ଧା ଲକ୍ଷ୍ୟ ହାସଲ ପାଇଁ ସରକାର ସଂକଳ୍ପ ବଦ୍ଧ | ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ସରକାର ମୋଟ ଛବିଶି ଗୋଟି ଉଚ୍ଚ ବିଦ୍ୟାଳୟକୁ ପିଏମଶ୍ରୀ ଘୋଷଣା କରିଛନ୍ତି | ଏଠାରେ ପିଲାଙ୍କୁ ସ୍ମାର୍ଟ ଶ୍ରେଣୀଗୃହ, ଡିଜିଟାଲ ଶିକ୍ଷା ସହ ଏକବିଂଶ ଶତାବ୍ଦୀ ଉପଯୋଗୀ କୌଶଳ ଶିକ୍ଷା ପ୍ରଦାନ କରାଯାଉଛି | ଜାତୀୟ ଶିକ୍ଷାନୀତି ଆଧାରରେ ବିଦ୍ୟାଳୟ ଗୁଡିକର ବିକାଶ କରିବା ସହ ନୂତନ ଶିକ୍ଷକ ପଦବୀ ପୂରଣ, ଓଡ଼ିଆ ଭାଷାର ଅସ୍ମିତା ରକ୍ଷା ସହ ଆଞ୍ଚଳିକ ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା, ଅଧାରୁ ପାଠ ଛାଡିଥିବା ଶିଶୁଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା, ବୟସ୍କଙ୍କ ପାଇଁ ମୁକ୍ତ ବିଦ୍ୟାଳୟ ଶିକ୍ଷାଦାନର ବ୍ୟବସ୍ଥା, ମାଧୋସିଂ ହାତ ଖର୍ଚ୍ଚ ଯୋଜନା, ଉଚ୍ଚବିଦ୍ୟାଳୟର ଶିଶୁଙ୍କୁ ପୋଷଣ ଯୋଜନାରେ ସାମିଲ କରିବା ଆଦି ସରକାରଙ୍କ ପଦକ୍ଷେପମାନ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି | ସେହିପରି ମାନ୍ୟବର ମନ୍ତ୍ରୀ ଛାୟା ସଂସଦ କାର୍ଯ୍ୟକ୍ରମରେ ଯୋଗଦେଇ ଆଦର୍ଶ ସଂସଦର ଉଦଘାଟନ କରିଥିଲେ | ଶିଶୁଙ୍କ ବିରୋଧୀ ଭୂମିକାରେ ବିକାଶ ସମ୍ପର୍କିତ ପ୍ରଶ୍ନବାଣ ଓ ଆଭାସୀ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତ୍ୟୁତ୍ତରରେ ଆଭାସୀ ସଂସଦର ପରିସର ଅଧିକ ରୋମାଞ୍ଚକର ତଥା ହୃଦୟସ୍ପର୍ଶୀ ହୋଇଥିଲା | ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଆୟୋଜନର ଭୂୟସୀ ପ୍ରଶଂସା କରିବା ସହ ରାଜ୍ୟ ସ୍ତରରେ ଉତ୍ତମ ପ୍ରଦର୍ଶନ କରି ପ୍ରଶଂସିତ ହେବା ପାଇଁ ଉତ୍ସାହିତ କରିଥିଲେ | ଶ୍ରୀଯୁକ୍ତ ଗଣ୍ଡ ପିଲାଙ୍କୁ ସାହାସୀ, ଆତ୍ମବିଶ୍ୱାସୀ ଓ କର୍ମବୀର ହୋଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହ ବିବେକାନନ୍ଦ ଓ ନେଲସନ ମଣ୍ଡେଲାଙ୍କ ଜୀବନୀର ଉଦାହରଣ ଦେଇ ଭଲ ମଣିଷ ହେବାର ମନ୍ତ୍ର ପ୍ରବର୍ତ୍ତାଇଥିଲେ |
ଏଡିଇଓ ଶାନ୍ତିଲତା ମୁନି ଗଳ୍ପ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କୁ ଅନେକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରିଥିଲେ |
ଉଦ୍ୟଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଉକ୍ତିରେ ପିଲାଙ୍କୁ ଚରିତ୍ର ଗଠନ ଓ ମୁଲ୍ୟବୋଧ ଭିତ୍ତିକ ଶିକ୍ଷା ଉତ୍ତମ ନାଗରିକ ଗଠନରେ ସାହାଯ୍ୟ କରେ , କର୍ତ୍ତବ୍ୟ ଓ ପରିଶ୍ରମର ଫଳ ସର୍ବଦା ମିଠା ହୋଇଥାଏ ବୋଲି କହିଥିଲେ | ବିଭିନ୍ନ କ୍ଷେତ୍ରରେ ପ୍ରଥମ ତିନିଜଣ କୃତ୍ତି ଶିଶୁଙ୍କୁ ପୁରସ୍କୃତ କରିଥିଲେ | ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଉତ୍ତମ ପ୍ରଦର୍ଶନକାରୀ ଶିଶୁ ରାଜ୍ଯ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରାମଚନ୍ଦ୍ର ନାହାକ କହିଛନ୍ତି |
ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନ ଲାଲ ମାଝୀ, ଶାନ୍ତିଲତା ମୁନି ଓ ସସ୍ମିତା ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଙ୍କ ସହ ନମିତା ପଧାନ, ସୁନୀତା ଭୁଏ, ଶିକ୍ଷକ ନୀଳାଞ୍ଚଳ ମିଶ୍ର, ସସ୍ମିତା ମିଶ୍ର, ସୁରେଶ ପଟ୍ଟନାୟକ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ , ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ, ପି ଏମ ଶ୍ରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଜିଲ୍ଲା ସମଗ୍ର ଶିକ୍ଷାର କର୍ମକର୍ତ୍ତା ବୃନ୍ଦ ସମେତ ଏକ ହଜାରରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ |
