**ନୁଆପଡାରେ ଜିଲ୍ଲା ସଡ଼କ ସୁରକ୍ଷା ରେ ନୋ ହେଲମେଟ୍–ନୋ ପେଟ୍ରୋଲ୍’ ନିୟମ ଉଲ୍ଲଂଘନକାରୀ ପେଟ୍ରୋଲ୍ ପମ୍ପ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ l*
ନୁଆପଡା(ମିଖାଏଲ ନନ୍ଦ)
୦୫/୦୩
ନୁଆପଡା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଲା ସମସ୍ତଙ୍କୁ ସ୍ୱାଗତ କରି ବୈଠକର ବିବରଣୀ ଉପସ୍ଥାପନ କରିଥିଲେ।ବୈଠକରେ ଜିଲ୍ଲାପାଳ ‘ନୋ ହେଲମେଟ୍ –ନୋ ପେଟ୍ରୋଲ୍’ ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବିନା ହେଲମେଟ୍ରେ ପେଟ୍ରୋଲ୍ ଯୋଗାଇଦେଉଥିବା ପେଟ୍ରୋଲ୍ ପମ୍ପ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଏହାସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପେଟ୍ରୋଲ୍ ପମ୍ପଗୁଡ଼ିକରେ ଆକସ୍ମିକ ଚଢ଼ାଉ କରି ନିୟମ ପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୧୦ ଟି ‘ହେଲମେଟ୍ ହବ୍’ ସ୍ଥାପନ କରିବା ସିଦ୍ଧାନ୍ତ କାର୍ଯ୍ୟକାରୀ ହେବ। ବେନିୟମ ଭାବରେ ଚଳାଚଳ କରୁଥିବା ଗାଡ଼ି ମଟର ଓ ମଦ୍ୟପ ଚାଳକ ମାନଙ୍କୁ ଚେକିଂ ବ୍ୟବସ୍ଥାକୁ କଡାକଡି ଭାବେ କାର୍ଯ୍ୟାନ୍ବୟନ କରିବା ପାଇଁ ଏସ୍ପିଙ୍କ ତରଫରୁ ପୋଲିସ୍ କର୍ମଚାରୀ ନିୟୋଜିତ ହେବେ। ସେମାନେ ଆଞ୍ଚଳିକ ପରିବହନ ବିଭାଗ ଓ ଅବକାରୀ ବିଭାଗ ସହଯୋଗରେ ଏହାକୁ ବ୍ୟାପକ କରିବେ l ବୈଠକରେ ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକ ଚିହ୍ନଟ କରି ସେଠାରେ ତୁରନ୍ତ ଖାଲଖମା ମରାମତି କରିବା ଉପରେ ମଧ୍ୟ ଜିଲ୍ଲାପାଳ ଜୋର ଦେଇଥିଲେ। ପରିବହନ ଅଧିକାରୀ ଶର୍ମିଳା ମହାରଣା ସଡ଼କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ, ଦୁର୍ଘଟଣାପ୍ରବଣ ଅଞ୍ଚଳର ସଂଯୁକ୍ତ ନିରୀକ୍ଷଣ, ଆଇନ ପ୍ରୟୋଗ ଓ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ଦୁର୍ଘଟଣା ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଓ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ରାହତ ଯୋଜନା ଉପରେ ଆଲୋଚନା ହୋଇଥିଲା l ସମୀକ୍ଷାରୁ ଜଣାଗଲା ଯେ ଜିଲ୍ଲାରେ ୨୦୨୫ ବର୍ଷରେ ମଦ୍ୟପ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ୧୪୫ ଟି ଏବଂ ବିନା ହେଲ୍ ମେଟ୍ ଚାଳକ ୪୬୭୯ ଜଣଙ୍କୁ ଚାଲାଣ ଜାରୀ ହୋଇଛି l ଗତ ବର୍ଷ ୧୪୯ ଟି ଦୁର୍ଘଟଣାରେ ୧୧୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୮୦ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୂର୍ମୀ ସୋରେନ, ସମସ୍ତ ବି ଡି ଓ, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ , ନୂଆପଡା, ଖଡିଆଳ ଓ ଖରୀଆର ରୋଡ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ , ସିଭିଲ ସୋସାଇଟିରୁ ସାମ୍ବାଦିକ ଘନଶ୍ୟାମ ଭୋଇ, ଯାଜ୍ଞସେନୀ ମହାପାତ୍ର , ବିଜୟ ରାଉତରାୟ ଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହାପରେ, ଜିଲ୍ଲାସ୍ତରୀୟ ଆମ ବସ ଷ୍ଟାଣ୍ଡ ନୋଡାଲ କମିଟି ବୈଠକରେ ବସ୍ ଷ୍ଟାଣ୍ଡ ଓ ସରକାରୀ ବସ୍ ମାନଙ୍କ ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା।
