*ନୂଆପଡ଼ା ଜିଲ୍ଲା କୁଲିଆବନ୍ଧା ଗ୍ରାମ ପଂଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ l*
ନୁଆପଡ଼ା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ ଅନ୍ତର୍ଗତ କୁଲିଆବନ୍ଧା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବନ ଖଣ୍ଡ ଅଧିକାରୀ ଖଡିଆଳ, ଅଜିଜ ଖାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ବିଡ଼ିଓ ରୋହିତ ଭୋଇ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ଵରୀ ସାହୁ, ସ୍ଥାନୀୟ ସରପଞ୍ଚ ଶାନ୍ତାରାମ ଓ ସମିତି ସଭ୍ୟ କେଶରୀ ମାଝୀ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ l ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେl
ନିଜ ଅଭିଭାଷଣରେ ଜିଲ୍ଲାପାଳ କହିଲେ ଯେ, ଜିଲ୍ଲାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇ ବର୍ତ୍ତମାନ ଆମ ଜିଲ୍ଲା ରାଜ୍ୟରେ ତଥା ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି l ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ବିଲୋପ ପାଇଁ ଲୋକଙ୍କ ସହଯୋଗିତା ଓ ସହଭାଗିତା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସେ କହିଲେଯେ ନୂଆପଡା ଆକଂକ୍ଷୀ ଜିଲ୍ଲା ହୋଇଥିବାରୁ ଏଠାରେ ପ୍ରତି ଶ୍ରମିକ ପରିବାରକୁ ୩୦୦ ଦିନର ଶ୍ରମ ଭିତ୍ତିକ କାମ ଯୋଗାଇ ଦିଆଯିବ l ଏଥିରେ ନିଜ ଗାଆଁରେ କାମ କରି ପ୍ରତି ପରିବାର ଲକ୍ଷପତି ହୋଇପାରିବେ l ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯିବା ପାଇଁ ସମସ୍ତେ ପଣ କରନ୍ତୁ l ଯେଉଁମାନେ ଆଗରୁ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଇଥିଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ l ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ l ବନଖଣ୍ଡ ଅଧିକାରୀ ଅଜିଜ ଖାନ ଜଙ୍ଗଲ ନିଆଁର ଭୟାବହତା ଓ ବାୟୁ ପ୍ରଦୂଷଣ ଭଳି ପରିବେଶ ଉପରେ ବିଭିନ୍ନ କୁପ୍ରଭାବ ଉପରେ ଆଲକପାତ କରି ଲୋକଙ୍କୁ ସଚେତନ ହେବା ପାଇଁ ଆହ୍ବାନ ଦେଇଥିଲେ।
ପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ନବ ଜାତକ ଦୁଇଟି ଶିଶୁ କନ୍ୟାଙ୍କୁ କୋଳରେ ଧରି ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ସେମାନଙ୍କ ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଗର୍ଭବତୀ ମହିଳାମାନଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l ଏହି ଅବସରରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଅତିଥି ମାନଙ୍କ ଦ୍ଵାରା ଏକ ବର୍ତ୍ତନ ବ୍ୟାଙ୍କ୍ ର ଉଦଘାଟନ କରାଯାଇଥିଲା। ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ବିଭିନ୍ନ ପାରମ୍ପାରିକ ନୃତ୍ୟ ପରିବେଷଣ କରାଯାଇଥିଲା। ଭି ବି ଜି ରାମଜୀ ରେ ୧୦୦ ଦିନରୁ ଉର୍ଦ୍ଧ୍ବ କାମ କରିଥିବା ଶ୍ରମିକ ମାନଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା l ସଭାରେ ଛେରିଲେଣ୍ଡି ଗ୍ରାମର ୧୦ ଜଣ ପ୍ରଜାଙ୍କୁ ଆଇ ଏଫ୍ ଆର୍ ଦ୍ଵାରା ଘରଡିହ ଓ ଜମି ପଟ୍ଟା ପ୍ରଦାନ କରାଯାଇଥିଲା l ସେହିପରି ମାସନକୁଣ୍ଡା ଗ୍ରାମବାସୀ ମାନଙ୍କୁ ୧୨.୫ ହେକ୍ଟର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଥିଲା lଶ୍ରମ ବିଭାଗ ଦ୍ଵାରା ନିର୍ମାଣ ଶ୍ରମିକମାନଙ୍କୁ ପରିଚୟ ପତ୍ର , ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତା ଓ ମାତୃତ୍ୱ ସହାୟତା ଇତ୍ୟାଦି ପ୍ରଦାନ କରାଯାଇଥିଲା।
ଶେଷରେ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଜଳ ଯୋଗାଇ ଦେଇଥିଲେ l ଏହାପରେ ଜିଲ୍ଲାପାଳ ଫେରନ୍ତା ପ୍ରବାସୀ ଶ୍ରମିକ ତୁଳସୀ ଗୌଡ଼ ଓ ଏତୱାରୁ ବେମାଲ ପରିବାରକୁ ସାକ୍ଷାତ କରି ଆଉ ପ୍ରବାସ ରେ ନଯିବା ପାଇଁ ପରାମର୍ଶ ଦେଇଥିଲେ। ସେମାନଙ୍କୁ ନିୟମାନୁଯାୟୀ ସମସ୍ତ ସରକାରୀ ସହାୟତା ସହିତ ଅନ୍ତୋଦୟ ଗୃହ ଯୋଜନାରେ ଘର ଓ ଭି ବି ଜି ରାମଜୀ ଯୋଜନାରେ କାମ ଯୋଗାଇ ଦେବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l
