ପ୍ରେସ ବିଜ୍ଞପ୍ତି
ରାୟଗଡ଼ ଜିଲ୍ଲା ରେ ଆରମ୍ଭ ହେଲା ହ୍ୟୁମାନ ପାପିଲୋମା ଭାଇରସ୍ ( ଏଚ୍ .ପି.ଭି.) ସଂକ୍ରମଣର ନିରାକରଣ ପାଇଁ
ଟୀକାକରଣ ଅଭିଯାନ(ରମେଶ ଅଗ୍ରୱାଲ.)
• ଝିଅମାନଙ୍କୁ ସର୍ଭିକାଲ୍ କ୍ୟାନ୍ସର ରୋଗରୁ ସୁରକ୍ଷା ପ୍ରଦାନ କରିବ ଏହି ଟୀକା
• ଉପକୃତ ହେବେ ଜିଲ୍ଲାର ୧୪ ରୁ ୧୫ ବୟସ ମଧ୍ୟରେ ଥିବା ୭୫୮୭ ବାଳିକା
• ଏହି ଟୀକା ସମ୍ପୂର୍ଣ୍ଣ ଦେୟମୁକ୍ତ ରଖାଯାଇଛି
ରାୟଗଡ଼
୦୧.୦୩.୨୦୨୬
ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡ଼ ଠାରେ ହ୍ୟୁମାନ ପାପିଲୋମା ଭାଇରସ୍ ବା HPV ନିରାକରଣ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ମାନ୍ୟବର କୋରାପୁଟ ସାଂସଦ ଶ୍ରୀ ସପ୍ତଗିରୀ ଶଙ୍କର ଉଲାକା ଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ମାନ୍ୟବର ରାୟଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ କାଡ୍ରାକା ଆପ୍ଲା ସ୍ୱାମୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |
ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ସରୋଜିନୀ ଦେବୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ତଥା ମୁଖ୍ୟ ଚିକିତ୍ସାଳୟର ସୂପରିନଟେ ସୁପରିନ ଟେଣ୍ଡନ୍ତ ଡ଼ ପି କେ ମିଶ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ କିଶୋର କୁମାର ବାରାଇ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାମ ଚରଣ ନାହାକ ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ କର୍ମଚାରୀ ମାନେ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ |
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ମହତ୍ତ୍ୱକାଂକ୍ଷୀ ଅଭିଯାନରେ ଓଡିଶାର ୧୪ ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ପ୍ରାୟ ୩.୩୬ ଲକ୍ଷ ବାଳିକାଙ୍କୁ ଟୀକାକରଣ କରାଯିବ। ଏଥିପାଇଁ ୩ ମାସ ସମୟ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ଏବଂ ଏହି ଟୀକାକରଣ ପ୍ରକ୍ରିୟାରେ ଆମ ଜିଲ୍ଲା ୧୪ ରୁ ୧୫ ବୟସ ମଧ୍ୟରେ ଥିବା ୭୫୮୭ ବାଳିକା ଉପକୃତ ହେବେ ।
ଏହି ଟୀକା ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ମାସରେ ଏହାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ଏହି ଟୀକା ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ।
ଝିଅମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଏହି ଟୀକାକରଣ ଅଭିଯାନ କରାଯାଇଛି । ସର୍ଭିକାଲ୍ କ୍ୟାନ୍ସରକୁ ରୋକିବା ପାଇଁ ଏହି ଟୀକାର ବଜାର ମୂଲ୍ୟ ୪ ହଜାର ଟଙ୍କା ହୋଇଥିବା ବେଳେ, ଏହି ଟୀକା ଝିଅମାନଙ୍କୁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣାରେ ପ୍ରଦାନ କରାଯିବ | ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଏହି ଟୀକାକରଣ ବିଷୟରେ ସୂଚନା ଗାଁ ଗହଳି ଠାରୁ ଆରମ୍ଭ କରି ଆମ ଜିଲ୍ଲା ର ସହରାଂଚଳ ରେ ଏହା ବିଷୟରେ ବହୁଳ ପ୍ରଚାର ହେବ ଆବଶ୍ୟକ ବୋଲି ମାନ୍ୟବର ସାସଂଦ ମତପୋଷଣ କରିଥିଲେ |
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ଫେବୁୟାରି ୨୮ ତାରିଖ ୨୦୨୬ ଦିନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜସ୍ଥାନର ଆଜମେର ଠାରୁ ଦେଶବ୍ୟାପୀ ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣର ନିରାକରଣ ପାଇଁ ଟୀକାକରଣ ଅଭିଯାନର ଶୁଭାରମ୍ଭ କରାଯିବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ରାଜ୍ୟବ୍ୟାପୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
