ଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କୁ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ସମ୍ବର୍ଦ୍ଧନା
ଭବାନୀପାଟଣା,…. କିଶନ୍ ଶର୍ମା )- ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଦିଲ୍ଲୀ ଦ୍ୱାରା ଆୟୋଜିତ ଆଦିରଙ୍ଗ ମହୋତ୍ସବରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଗ୍ରଣୀ ଅନୁଷ୍ଠାନ ପ୍ରତିଭାର ସଭାପତି ଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ମହୋତ୍ସବରେ ୧୮ ଟି ରାଜ୍ୟର ତିନିଶହରୁ ଉର୍ଦ୍ଧ୍ୱ କଳାକାର ଭାଗ ନେଇଥିଲେ। ଓଡିଶାରୁ ପ୍ରତିଭା ଅନୁଷ୍ଠାନ ଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ୧୫ ଜଣ କଳାକାର ଭାଗ ନେଇଥିଲେ। ୩ ଦିନ ଧରି ଏହି ମହୋତ୍ସବରେ ବିଭିନ୍ନ ରାଜ୍ୟର ଲୋକଗୀତ, ଲୋକନୃତ୍ୟ, ଲୋକବାଦ୍ୟରେ ଦିଲ୍ଲୀର ଦର୍ଶକ ଝୁମି ଉଠିଥିଲେ। ପ୍ରତିଭା କଳାକାର ମାନଙ୍କ ଦ୍ୱାରା ସିଙ୍ଗାରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ନୃତ୍ୟ ଦର୍ଶକଙ୍କ ମନମୋହିଥିଲା। ଏହି ଉତ୍ସବରେ ଜାତୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ ଜଣାଶୁଣା କଳାକାର ଚିତ୍ତରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ନାଟ୍ୟ ବିଦ୍ୟାଳୟର ରେଜିଷ୍ଟାର୍ ପ୍ରଦୀପ କୁମାର ମହାନ୍ତି ଯୋଗଦେଇଥିଲେ। ବିଶେଷ ଅତିଥି ଭାବରେ ସିନେ ତାରକା ଶ୍ରୀବର୍ଦ୍ଧନ ତ୍ରିବେଦୀ ପୂରାତନ ଛାତ୍ର ଜାତୀୟ ନାଟ୍ୟ ବିଦ୍ୟାଳୟ ଯୋଗଦେଇଥିଲେ। ଏହି ଅତିଥି ମାନଙ୍କ ଦ୍ୱାରା ଗୁରୁ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିଭା ଅନୁଷ୍ଠାନରୁ ବିଶିଷ୍ଟ ସଂଗୀତକାର ଓଡିଶା ସଂଗୀତ ନାଟକ ଏକାଡେମୀ ଯୁବ ସମ୍ମାନପ୍ରାପ୍ତ ନୀଳାଞ୍ଚଳ ପାନ୍, ଜାତୀୟ ଯୁବକଳାକାର ବୃତ୍ତି ପ୍ରାପ୍ତ ଗୌରୀଶଙ୍କର ଦୁର୍ଗା ପ୍ରମୁଖ ସିଙ୍ଗାରୀ ନୃତ୍ୟ ପରିବେଶଣ କରିଥିଲେ।
