ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ
ବରଗଡ଼: ବାଲେଶ୍ଵର : ୨୭.୦୨.(ନି, ପ୍ର) ମୋବାଇଲ ମନସ୍କ ଶିଶୁ କିଶୋର ମାନଙ୍କୁ ପୁସ୍ତକ ମନସ୍କ କରାଇବାର ଲକ୍ଷ୍ୟ ନେଇ ରାଜ୍ୟ ପରିକ୍ରମା କରୁଥିବା ତଥା ରାଜ୍ୟର ବିଭନ୍ନ ଜିଲ୍ଲା ରେ ପାଠାଗାର କାର୍ଯ୍ୟକ୍ରମ ଜାରି ରଖିଥିବା ବରଗଡ଼ର ‘ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର’ ବାଲେଶ୍ଵର ଜିଲାର ସୋର ସ୍ଥିତ ଲିଙ୍ଗପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ‘ପିଲାଙ୍କ ପାଖରେ ପାଠାଗାର’ କାର୍ଯ୍ୟକ୍ରମର ଆୟୋଜନ କରିଛି । ଏହି ଅବସରରେ ଶିଶୁ ସାହିତ୍ୟ ଆଧାରିତ ଗପ, କବିତା, ଜୀବନୀ ପୁସ୍ତକ ସହିତ ରାଜ୍ୟର ପ୍ରତିଷ୍ଠିତ ଶିଶୁ ସାହିତ୍ୟ ସବୁ ପତ୍ରିକା ପ୍ରଦର୍ଶନ କରାଯିବା ସହିତ ଏକ ପଠନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଜେନା, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ମହାନ୍ତି ଓ ସହକାରୀ ଶିକ୍ଷୟିତ୍ରୀ ନମିତା ଶତପଥୀ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟରେ ପୁସ୍ତକ ପଠନର ଉପାଦେୟତା, ପୁସ୍ତକ କେମିତି ଚରିତ୍ର ଓ ବ୍ୟକ୍ତିତ୍ବ ପରିବର୍ତ୍ତନ ରେ ସହାୟକ ହେବା ସହିତ ଜୀବନର ଲକ୍ଷ୍ୟ ହାସଲରେ ସହାୟକ ହୋଇଥାଏ ତାହା ମହାପୁରୁଷ ମାନଙ୍କ ଜୀବନୀରୁ ଉଦାହରଣ ଦେଇ ବୁଝାଇଥିଲେ। ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଲକ୍ଷ୍ମୀପ୍ରିୟା ବେହେରା, ବିଶ୍ବଜିତ ରଣା, ବିଜୟିନୀ ରଣା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମକୁ ଶିଶୁଶ୍ରୀ’ର ଆବାହକ ତଥା ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ସଂଯୋଜନା କରି କାର୍ଯ୍ୟକ୍ରମର ଉଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
