ଡଙ୍ଗରମୁଣ୍ଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ । ବରଗଡ :(ନି, ପ୍ର )ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ହର୍ଷ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି । ସୋମବାର ଦିନ ଗାଁର ଶହଶହ ମହିଳା ଓ ପୁରୁଷ ଘଣ୍ଟ ବାଦ୍ୟ ସଂକୀର୍ତ୍ତନ ସହ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମର ପୋଖରୀରୁ କଳସ ଆଣି ମଣ୍ଡପରେ ସ୍ଥାପନ କରିଥିଲେ। ପରେ ଯୁବାଖୋଲ, କୁଲିଆରୀ, ପରମାନନ୍ଦପୁର, ଭେଲୁଆଁପଦର,କେନ୍ଦୁମାଲ, କାଦୋପାଣି, ଅର୍ଡା,ପଣ୍ଡୁରି, ଡୁଙ୍ଗୁରି, ବୁଧାପାଲି,ନିଲଜିପତ୍ରା, କନବାର ଓ ରଢ଼ିଆପାଲି ତଥା ଆଖପାଖ ଅଞ୍ଚଳର ବଛା ବଛା ପୁରୁଷ ଓ ମହିଳା ସଂକୀର୍ତ୍ତନ ଦଳ ମାନଙ୍କ ଦ୍ୱାରା ମହାମନ୍ତ୍ର ହରେକୃଷ୍ଣ ହରେରାମ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସଂକୀର୍ତ୍ତନ ଦଳ ମାନଙ୍କ ଚିତ୍ତାକର୍ଷକ ଗୀତବାଦ୍ୟ ଓ ନୃତ୍ୟରେ ହଜାର ହଜାର ଦର୍ଶକ ଦିନରାତି ଝୁମି ଉଠି ଭଗବାନଙ୍କ ନାମରସ ପାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ସରପଞ୍ଚ ଅର୍ପିତା ପଣ୍ଡା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ରବି ବେହେରା ଏବଂ ତାଙ୍କ ଧର୍ମପତ୍ନୀ ବିନୀ ବେହେରା କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇଥିବା ବେଳେ ମୁଖ୍ୟ ପୂଜକ ଭାବରେ ବାନ୍ଦୁପାଲି ଗ୍ରାମର ବଳରାମ ପଣ୍ଡା ଓ ସହଯୋଗୀ ସୁଶାନ୍ତ ପଣ୍ଡା ଏବଂ ପ୍ରଶାନ୍ତ ପଣ୍ଡା ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ । ତେବେ ହଜାର ହଜାର ଦର୍ଶକଙ୍କୁ ଶାନ୍ତିଶୃଙ୍ଖଳାର ସହ ବାନ୍ଧି ରଖିବାରେ ଯଜ୍ଞକମିଟି ଲାଗିପଡିଥିବା ବେଳେ ଗ୍ରାମବାସୀ ଏଠାକୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜଳ ଛତ୍ର ଓ ଅନ୍ନ ଛତ୍ର ର ବ୍ୟବସ୍ଥା କରି ସମସ୍ତ ସେବା ଯୋଗାଇବାରେ ନିଜକୁ ନିୟୋଜିତ କରିଥିଲେ ।ପରେ ଗାୟିକା ଯମୁନା ଭୋଇ, ବର୍ଷାରାଣି ଚିର୍ଗୁନ,ବାୟକ ସୁବାସ ଏବଂ ଜିତୁଙ୍କ କୀର୍ତ୍ତନ ଦଳକୁ ନେଇ ଏକ ସୁନ୍ଦର ବୈଠକି କୀର୍ତ୍ତନ ଅନୁଷ୍ଠିତ ହୋଇଥିବା ବେଳେ ଏଠାକାର ସୁବ୍ୟବସ୍ଥା ପାଇଁ ଆଖ ପାଖ ଅଞ୍ଚଳରୁ ଆସିଥିବା ସମସ୍ତ ଅତିଥି ଓ ଦର୍ଶକ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।।
