ସିପିଆଇଏମ୍ର ଦୁଇଦିନିଆ ରାଜ୍ୟ କମିଟି ବୈଠକ
କୋଇଡା (ସଞ୍ଜୟ ବେହେରା) ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳ ସିପିଆଇଏମ୍ର ଦଳୀୟ ପତାକା, ସ୍ଲୋଗାନ ଓ ଲାଲ ଝଣ୍ଡାରେ ସମ୍ପୂର୍ଣ୍ଣ ଲାଲମୟ ହୋଇଯାଇଥିଲା। ସିପିଆଇଏମ୍ ପକ୍ଷରୁ କୋଇଡାରେ ଦୁଇଦିନିଆ ରାଜ୍ୟ କମିଟି ବୈଠକ ସହ ବିଶାଳ ସାଧାରଣ ସଭା ଭବ୍ୟ ଭାବେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ରୀୟ ଓ ରାଜ୍ୟ ସ୍ତରର ଶୀର୍ଷ ନେତୃତ୍ୱ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ କଡା ଭାଷାରେ ସମାଲୋଚନା କରିଥିଲେ।
ଆଜି ସକାଳେ କୋଇଡା ସ୍ଥିତ ଆର୍ୟନ ପଡିଆଠାରୁ ଏକ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ସିପିଆଇଏମ୍ର କେନ୍ଦ୍ରୀୟ ନେତୃତ୍ୱ ମଣ୍ଡଳୀଙ୍କ ସହ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ପ୍ରାୟ ୧୫ ହଜାରରୁ ଅଧିକ କର୍ମୀ ଓ ସମର୍ଥକ ଦଳୀୟ ପତାକା, ବ୍ୟାନର ଓ ପୋଷ୍ଟର ଧରି ବାଦ୍ୟ, ନୃତ୍ୟ ଓ ସ୍ଲୋଗାନ ଦେଇ ସଭାସ୍ଥଳକୁ ପହଞ୍ଚିଥିଲେ। ଏହି ଶୋଭାଯାତ୍ରା ଦେଖିବାକୁ ରାସ୍ତା ପାଖରେ ବହୁ ଲୋକଙ୍କ ଭିଡ଼ ଲାଗିଥିଲା ଓ ସମଗ୍ର କୋଇଡା ଅଞ୍ଚଳରେ ରାଜନୈତିକ ପରିବେଶ ସୃଷ୍ଟି ହୋଇଥିଲା।
ଦୁଇଦିନ ଧରି ଚାଲିଥିବା ଏହି ବୈଠକର ଉଦ୍ଘାଟନୀ ଅବସରରେ ସିପିଆଇଏମ୍ର କେନ୍ଦ୍ରୀୟ ପଲିଟ ବ୍ୟୁରୋ ସଦସ୍ୟ ଦିପ୍ ଭଟ୍ଟାଚାର୍ଯ୍ୟ, କେନ୍ଦ୍ରୀୟ ସମ୍ପାଦକ ମଣ୍ଡଳ ସଦସ୍ୟା କେ. ହେମଲତା, ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳ ସଦସ୍ୟ ଅଳିକେଶ୍ୱର ପଟ୍ଟନାୟକ, ବରିଷ୍ଠ ନେତା ଜନାର୍ଦ୍ଦନ ପତି, ରାଜ୍ୟ ସମ୍ପାଦକ ମଣ୍ଡଳ ସଦସ୍ୟ ସନ୍ତୋଷ ଦାଶ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିଆଇଟିୟୁ ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି, ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ରାଜ୍ୟ କମିଟି ସଦସ୍ୟ ପ୍ରଭାତ ପଣ୍ଡା, କୋଇଡା ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ, ଜିଲ୍ଲା ପରିଷଦ ସଦସ୍ୟା ସୁଶିଳା ମୁଣ୍ଡା, ଅଶୋକ ସାମଲ ଓ ଅନ୍ୟାନ୍ୟ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।
ସ୍ଥାନୀୟ କର୍ମୀ ଓ ନେତାମାନେ ସ୍ୱାଗତ ସଙ୍ଗୀତ ଓ ଫୁଲତୋଡ଼ା ପ୍ରଦାନ କରି କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱଙ୍କୁ ଉଷ୍ମାଭରା ସ୍ୱାଗତ ଜଣାଇଥିଲେ। ସଭାରେ ନେତାମାନେ ନିଜ ଅଭିଭାଷଣରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି, କର୍ପୋରେଟ କମ୍ପାନୀମାନଙ୍କୁ ଜଙ୍ଗଲ, ଜମି ଓ ପ୍ରାକୃତିକ ସମ୍ପଦ ହସ୍ତାନ୍ତର, ବୃଦ୍ଧିଶୀଳ ବିଦ୍ୟୁତ ବିଲ୍ ଓ ସ୍ମାର୍ଟ ମିଟର ବ୍ୟବସ୍ଥା, ମନରେଗା କାମ କମିଯିବା, ଦାଦନ ଶ୍ରମିକ ସମସ୍ୟା ଓ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ନ ମିଳିବା ନେଇ ତୀବ୍ର ଆକ୍ରୋଶ ପ୍ରକାଶ କରିଥିଲେ।
ନେତୃବୃନ୍ଦ କହିଥିଲେ ଯେ ଖଣି ଅଞ୍ଚଳରେ ବସୋବାସ କରୁଥିବା ସ୍ଥାନୀୟ ଲୋକମାନେ ବିକାଶର ଫଳରୁ ବଞ୍ଚିତ ହେଉଛନ୍ତି ଓ କମ୍ପାନୀମାନେ ପ୍ରାକୃତିକ ସମ୍ପଦ ନେଇ ଲାଭ କରୁଥିବା ସତ୍ତ୍ୱେ ସ୍ଥାନୀୟ ଲୋକଙ୍କ ଜୀବନ ମାନ ଉନ୍ନତ ହେଉନାହିଁ। ଏହା ବିରୋଧରେ ଆଗାମୀ ଦିନରେ କୋଇଡା ମାଟିରୁ ଏକ ବଡ଼ ଗଣଆନ୍ଦୋଳନ ଗଢ଼ି ତୋଳାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।
ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ ଦଳଙ୍କ ପକ୍ଷରୁ ନୃତ୍ୟ, ସଙ୍ଗୀତ ଓ ଜନଜାଗରଣ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା। ସ୍ଥାନୀୟ କଳାକାରମାନେ ନିଜ ପ୍ରତିଭା ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା।
ଆଜି ବୈଠକର ଦ୍ୱିତୀୟ ଦିନରେ ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କ ଉପସ୍ଥିତିରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହେବାକୁ ଥିବା ବେଳେ, କୋଇଡାରେ ଏହି କାର୍ଯ୍ୟକ୍ରମ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।
ସୁନ୍ଦରଗଡ ଜିଲ୍ଲା କୋଇଡା ରୁ ସଞ୍ଜୟ ବେହେରାଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
