ବ୍ରିଜ୍ ଗୋପାଳ ର ମନମାନି ରାସ୍ତାକାମ: ୫୦ ଫୁଟ ତଳକୁ ଖସିଲା ଟ୍ରକ: ଚାଳକ ଗୁରୁତର
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ତଳନଗର ରେଳ ଓଭରବ୍ରିଜ୍ ବାରମ୍ବାର ଦୁର୍ଘଟଣା ବ୍ରିଜ୍ ଗୋପାଳ ସହିତ ସ୍ଥାନୀୟ ପ୍ରଶାସନର ମଧୁଚନ୍ଦ୍ରିକା ଫଳରେ ସାଧାରଣ ଲୋକେ କେତେ ହଇରାଣ ହେବେ ଏବଂ ଅକାଳ ରେ କେତେ ନିରୀହ ମୁଣ୍ଡ ଗଡିବ।ଆଜି ଅପରାହ୍ଣରେ ପଶ୍ଚିମବଙ୍ଗ ହଳଦିଆରୁ କଟକ ଜଗତପୁର ଅଭିମୁଖେ ଏକ ଏଚ୍ ପି ଗ୍ୟାସ ବୋଝେଇ ଟ୍ରକ ଯାଉଥିଲା। ଏହି ସମୟରେ ଓଡି ୦୧ ଏଏ ୪୩୯୧ ନମ୍ବର ବିଶିଷ୍ଟ ଏକ ଟ୍ରକ ବାଗୁଡି ପଥର ଖାଦାନରୁ ପଥର ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ରେଳ ଓଭରବ୍ରିଜ ନିକଟରେ ପଥର ବୋଝେଇ ଟ୍ରକଟି ଆଗରେ ଯାଉଥିବା ଗ୍ୟାସ ବୋଝେଇ ଟ୍ରକକୁ ଧକା ଦେବା ଫଳରେ ଗ୍ୟାସ ବୋଝେଇ ଗାଡିଟି ୫୦ ଫୁଟ ତଳ ନୟନଯୋରୀକୁ ଖସିପଡିଥିଲା। ଫଳରେ ଟ୍ରକ ଚାଳକ ବିହାର ଅଞ୍ଚଳର ଯୁବେତ ଖାନ(୩୫) ଗୁରୁତର ଆହତ ହୋଇଥିଲେ। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ଯୁବେତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୋର ପୁଲିସ ଓ ସୋର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଜାମ ହଟାଇବା ସହିତ ଗାଡିକୁ ଉଦ୍ଧାର କରି ସୋର ଥାନାରେ ରଖିଥିବା ଜଣାପଡିଛି।
