ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଶାଳ ମାଗଣା ଚକ୍ଷୁ ପରୀକ୍ଷାଣ ଶିବିର — ଗ୍ରାମାଞ୍ଚଳର ଶତାଧିକ ଲୋକ ଉପକୃତ
କୋଇଡା (ସଞ୍ଜୟ ବେହେରା)
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତର ବନ୍ଦଲ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏକ ବିଶାଳ ମାଗଣା ଚକ୍ଷୁ ପରୀକ୍ଷାଣ ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଗ୍ରାମୀଣ ଅଞ୍ଚଳରେ ଚକ୍ଷୁ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଓ ଦୃଷ୍ଟି ସମସ୍ୟାର ଶୀଘ୍ର ଚିହ୍ନଟ ନିମନ୍ତେ ଏହି ଶିବିରର ଆୟୋଜନ କରାଯାଇଥିବା ବେଳେ ଶତାଧିକ ଲୋକ ଏହାର ଲାଭ ଉଠାଇଥିଲେ।
ଏହି ଶିବିରକୁ କୋଇଡ଼ା ବିଡିଓ ସମେନ୍ଦ୍ର ସର , କୋଇଡ଼ା ବିଇଓ ଅଭିମନ୍ୟୁ ବେହେରା, କୋଇଡ଼ା ଗୁଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱପର ଟେଣ୍ଡେନ ନାଗ ଅର୍ଜୁନ ଗାଗରାଇ,ବିପିଏମ ଆଲୋକ କୁମାର ପଣ୍ଡା,ଜିନ୍ଦଲ ଖଣି ପ୍ରବନ୍ଦକ ଭାରଦୱାଜ୍ ରାଉତ,ଏଭିଓ ଭରତ ରଞ୍ଜନ ମାହାନ୍ତି,ସମାଜ ସେବୀ ସୁଦର୍ଶନ ପାତ୍ର ଏବଂ ବନ୍ଦଲ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପରିଡା ରମେଶ ଗୁଗେଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିଲା।
ଚକ୍ଷୁ ପରୀକ୍ଷା ପାଇଁ କେନ୍ଦୁଝରରୁ ପ୍ରସିଦ୍ଧ ଏଲଭି ପ୍ରସାଦ ଆଇ ଇନ୍ସଟିଟ୍ୟୁଟର ଡାକ୍ତର ଓ ପ୍ରାବିଧିକ ଟିମ୍ ଯୋଗଦେଇ ଆଧୁନିକ ଯନ୍ତ୍ରପାତି ଦ୍ୱାରା ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ବନ୍ଦଲ, ରେଙ୍ଗମା, ରାଇକେଲା, ଡେଙ୍ଗୁଳା, ଟେନସା, ଜୀରପୋଇଣ୍ଟ, ତନ୍ତରା, ବର୍ଷୁଆଁ, ଶାସକଳା, କୁଲା ଆଦି ପାଶ୍ୱର୍ବର୍ତ୍ତୀ ଗ୍ରାମରୁ ଆସିଥିବା ଅନେକ ପୁରୁଷ ଓ ମହିଳା ନିଶୁଳ୍କ ଚକ୍ଷୁ ପରୀକ୍ଷା କରାଇଥିଲେ।
ଶିବିର ସମୟରେ ଯେଉଁ ରୋଗୀମାନଙ୍କ ଆଖିରେ ଗୁରୁତର ସମସ୍ୟା ଚିହ୍ନଟ ହୋଇଛି, ସେମାନଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମାଗଣା ଅପରେସନ ସୁବିଧା ଯୋଗାଇ ଦିଆଯିବ ବୋଲି ଜେଏସପି ସିଏସଆର ଟେନସା ୟୁନିଟ ହେଡ୍ ରାଜେଶ କୁମାର ଲେଙ୍କା ସୂଚନା ଦେଇଥିଲେ। ସେ କହିଥିଲେ ଯେ ଗ୍ରାମାଞ୍ଚଳର ଲୋକମାନେ ଚକ୍ଷୁ ସମସ୍ୟାକୁ ଅବହେଳା କରୁଥିବାରୁ ଏପରି ଶିବିର ମାଧ୍ୟମରେ ସମୟରେ ଚିକିତ୍ସା ଓ ସଚେତନତା ବହୁତ ଆବଶ୍ୟକ।
ଏହି କାର୍ଯ୍ୟକ୍ରମରେ ସିଏସଆର ଡେପୁଟି ମେନେଜର ରାଜୀବ ରଞ୍ଜନ ଉପାଧାୟ , ସିଏସଆର କୋଓର୍ଡିନେଟର ପଦ୍ମ ଚରଣ ଦାସ ଓ ସେଂହା ଡାଙ୍ଗ ସହିତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଗ୍ରାମର ସ୍ୱାସ୍ଥ୍ୟ ସଙ୍ଗିନୀ ବୁଟୁନି ନାଏକ, ରୁକ୍ମଣୀ ନାଏକ, ସନ୍ଧ୍ୟାରାଣୀ ପାତ୍ର, ମମତାରାଣୀ ପାତ୍ର, ସୀମା କଛପ, ଶାନ୍ତି ସହେ, ସୁକାନ୍ତି ମୁଣ୍ଡା, ତୁଳସୀ ନାଏକ, ସୁନିତା ପ୍ରଧାନ ଓ ଖୁସୁବୁ ସିଂଙ୍କ ସକ୍ରିୟ ପ୍ରୟାସ ଓ ସହଯୋଗରେ ଶିବିରଟି ସୁଚାରୁ ଭାବେ ପରିଚାଳିତ ହୋଇଥିଲା।
ଗ୍ରାମବାସୀମାନେ ଏପରି ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ ଜିନ୍ଦଲ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଥିବା ବେଳେ ଭବିଷ୍ୟତରେ ମଧ୍ୟ ଏପରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି। ଏହି ପ୍ରୟାସ ଦ୍ୱାରା ଗ୍ରାମାଞ୍ଚଳର ଅନେକ ଲୋକ ଦୃଷ୍ଟି ସମସ୍ୟାରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି।
ସୁନ୍ଦରଗଡ ଜିଲ୍ଲା କୋଇଡା ରୁ ସଞ୍ଜୟ ବେହେରାଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
