*ସମିର ଦିବ୍ୟାଙ୍ଗ ଆଶ୍ରମର ଅନ୍ତେବାସୀଙ୍କୁ ଡାକ୍ତର ଦମ୍ପତ୍ତିଙ୍କ ମାଗଣା ଚିକିତ୍ସା*।
ବରଗଡ :୦୬/୦୨(ନି, ପ୍ର) ବୃଦ୍ଧାବସ୍ଥାରେ ଯଥାଯଥ ସ୍ୱାସ୍ଥ୍ୟସେବା ପ୍ରାପ୍ତି ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ଜଣେ ଡାକ୍ତରଙ୍କ ମାନବିକ ପଦକ୍ଷେପ ସମାଜରେ ପ୍ରଶଂସାର ବିଷୟ ହୋଇଛି। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବାଗଝୁଲା ସ୍ଥିତ ସମିର ଦିବ୍ୟାଙ୍ଗ ଆଶ୍ରମରେ ଡାକ୍ତର ସୁମିତ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ଡାକ୍ତର ସମାପ୍ତି ସମାପିକା ମିଶ୍ର ଅନ୍ତେବାସୀମାନଙ୍କ ପାଇଁ ମାଗଣା ଚିକିତ୍ସା ସେବା ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଡାକ୍ତର ମିଶ୍ର ଦମ୍ପତ୍ତି ଆଶ୍ରମକୁ ପହଞ୍ଚି ଅନ୍ତେବାସୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତଚାପ, ରକ୍ତ ଶର୍କରା ଯାଞ୍ଚ କରିଥିଲେ ଓ ଆବଶ୍ୟକ ଔଷଧ ମାଗଣାରେ ବଣ୍ଟନ କରିଥିଲେ। ଏହା ସହିତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରିଥିଲେ । ତେବେ ବୟସ ଜନିତ ବିଭିନ୍ନ ରୋଗରେ ପୀଡ଼ିତ ଅନ୍ତେବାସୀ ମାନଙ୍କୁ ସେ ଯଥୋଚିତ ପରାମର୍ଶ ମଧ୍ୟ ଦେଇଥିଲେ। ଡାକ୍ତରଙ୍କ ଏହି ସେବାରୁ ଆଶ୍ରମରେ ଥିବା ବୃଦ୍ଧ ବୃଦ୍ଧା ମାନେ ବହୁତ ଉପକୃତ ହୋଇଥିବା ବେଳେ ଆଶ୍ରମର ପ୍ରତିଷ୍ଠାତା କୀର୍ତ୍ତନ ଦାଶ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଏପରି ମାନବିକ ପ୍ରୟାସକୁ ସ୍ୱାଗତ କରି ଡାକ୍ତର ଦମ୍ପତ୍ତିଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ବିଭିନ୍ନ ସମୟରେ ଏହି ଯୁବ ଡାକ୍ତର ଦମ୍ପତ୍ତି ସମାଜ ସେବା କ୍ଷେତ୍ରରେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରି ଚର୍ଚ୍ଚାରେ ରହି ଆସୁଥିବା ବେଳେ ତାଙ୍କରି ଏପରି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ସହ ସମାଜରେ ସେବାଭାବକୁ ପ୍ରେରଣା ଦେଉଛି।
