*ବୋଡ଼େନ ବ୍ଲକରେ ‘ସମ୍ପୂର୍ଣ୍ଣତା ଅଭିଯାନ 2.0’ ର ଶୁଭାରମ୍ଭ*
ବୋଡ଼େନ(ମିଖାଏଲ ନନ୍ଦ)
୦୫/୦୨
ବୋଡ଼େନ ବ୍ଲକରେ ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ” ସମ୍ପୂର୍ଣ୍ଣତା ଅଭିଯାନ ୨” କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି।
ଏହି ଅବସରରେ ପଞ୍ଚାୟତ ସମିତି ବୋଡ଼େନ ଦ୍ୱାରା ବୋଡ଼େନ ବ୍ଲକର ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣାଙ୍କ ଅଧ୍ୟକ୍ଷତା ଓ ତତ୍ତ୍ୱାବଧାନରେ ଉଦ୍ଘାଟନୀ ସଭା ଆୟୋଜିତ ହୋଇଥିଲା।
ସଭାରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଡଲି ମାଝୀ, ଅତିରିକ୍ତ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୁଏ ଏବଂ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ମାଝୀ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର ମେହେର, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସଞ୍ଜୀବ ନାଏକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା ରାଉତ, ଗୋଷ୍ଠୀ କୃଷି ଅଧିକାରୀ ଦୁଃଖୀରାମ ଟୁଡୁ ଏବଂ ଗୋଷ୍ଠୀ ପ୍ରାଣୀସମ୍ପଦ ଅଧିକାରୀ ଶ୍ରୀମତୀ ସୁସ୍ମିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।ସଭାର ପ୍ରାରମ୍ଭରେ ଆକାଂକ୍ଷୀ ବ୍ଲକ ସହଯୋଗୀ ରାକେଶ କୁମାର ଷଡଙ୍ଗୀ ‘ସମ୍ପୂର୍ଣ୍ଣତା ଅଭିଯାନ 2.0’ର ଉଦ୍ଦେଶ୍ୟ ଓ କାର୍ଯ୍ୟପରିଧି ସମ୍ପର୍କରେ ଆଲୋକପାତ କରିଥିଲେ। ବିଡିଓ ଶ୍ରୀ ରଣା ତାଙ୍କର ପ୍ରାରମ୍ଭିକ ଭାଷଣରେ ବ୍ଲକକୁ ନିର୍ଦ୍ଦିଷ୍ଟ ୬ଟି ସୂଚକାଙ୍କ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଜଣାଇଥିଲେ। ଏହି ଅଭିଯାନ ଶିଶୁ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମାଧ୍ୟମରେ ୨୮ ଜାନୁଆରୀ ୨୦୨୬ ରୁ ୧୪ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।
ମୁଖ୍ୟ ଓ ସମ୍ମାନୀତ ଅତିଥିମାନେ ସମସ୍ତ ବିଭାଗ, ଜନପ୍ରତିନିଧି ଓ ସାଧାରଣ ଜନତାଙ୍କ ସମନ୍ୱୟ ଓ ସହଭାଗିତାରେ ବୋଡ଼େନ ବ୍ଲକର ଦ୍ରୁତ ବିକାଶ ସହ ସର୍ବାଙ୍ଗୀନ ଉନ୍ନତି ସୁନିଶ୍ଚିତ କରିବାକୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ସମସ୍ତେ ଏକତ୍ରିତ ହୋଇ ସୁସ୍ଥ ଓ ସମୃଦ୍ଧ ବ୍ଲକ ଗଢ଼ିବା ପାଇଁ ଶପଥ ପାଠ କରିଥିଲେ।କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବିଭାଗ ଦ୍ୱାରା ପ୍ରଦର୍ଶନୀ ଷ୍ଟଲ୍ ଖୋଲାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଛାତ୍ରଛାତ୍ରୀ, ଚାଷୀ, ସାଧାରଣ ଜନତା, ସମସ୍ତ ବିଭାଗୀୟ ତୃଣମୂଳ ସ୍ତର କର୍ମଚାରୀ ଓ ପିରାମଲ ଫାଉଣ୍ଡେସନର କର୍ମଚାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଆକାଂକ୍ଷୀ ବ୍ଲକ ଫେଲୋ (ABF) ରାକେଶ କୁମାର ଷଡଙ୍ଗୀ ପରିଚାଳନା କରିଥିବାବେଳେ ସିଆରସିସି ଉମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
