ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ବାର୍ଷିକ ଉତ୍ସବ
ଧର୍ମାନନ୍ଦ ସେଠି ଙ୍କ ଖବର
କାମାକ୍ଷାନଗର-
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିନ ଭବ୍ୟ ଓ ସୁସଂଗଠିତ ଆୟୋଜନରେ ବାର୍ଷିକ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବଟକୃଷ୍ଣ ମଲିକ (ଡେପୁଟି କଲେକ୍ଟର), ଶିକ୍ଷକ ପ୍ରଶିକ୍ଷକ ପ୍ରତିଷ୍ଠାନ ଢେଙ୍କାନାଳର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ସାହୁ, ଶ୍ରୀମତୀ ମିନତୀ ଦେହୁରୀ (ଗୋଷ୍ଠୀ ଶିକ୍ଷାଧିକାରୀ), ଶ୍ରୀଯୁକ୍ତ ରସାନନ୍ଦ ବେହେରା (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ) ଏବଂ ସରପଞ୍ଚ ଶ୍ରୀମତୀ ଶୁଭ ସ୍ନିଗ୍ଧା ବାରିକ ମହୋଦୟା ଯୋଗଦେଇ କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାର୍ତ୍ତିକ ପେଣ୍ଠୋଇଙ୍କ ନେତୃତ୍ୱରେ ଏବଂ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ସଭାପତି ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ସ୍ୱାଇଁ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରବିନାରାୟଣ ରାଉଳଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଭାବେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ମଞ୍ଚାସୀନ କରାଯାଇ ପ୍ରଦୀପ ପ୍ରଜ୍ୱଳନ, ସ୍ୱାଗତ ସଂଗୀତ ଓ ସମ୍ବର୍ଦ୍ଧନା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପରେ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପଠନ ଶ୍ରୀ ପ୍ରଫୁଲ୍ଲ କୁମାର ବାରିକ କରିଥିଲେ । ସ୍ୱାଗତ ଭାଷଣରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାର୍ତ୍ତିକ ପେଣ୍ଠୋଇ ବିଦ୍ୟାଳୟର ଶିକ୍ଷାଗତ ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅତିଥିମାନେ ତାଙ୍କ ଅଭିଭାଷଣରେ ଶିକ୍ଷାର ମୂଲ୍ୟବୋଧ, ନୀତିଗତ ଜୀବନ ଓ ନୀତିଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଆଦର୍ଶ ଛାତ୍ର ପୁରସ୍କାର ଆଶାଜ୍ୟୋତି ସୁତାରଙ୍କୁ ପ୍ରଦାନ କରାଯାଇଥିଲା। ପ୍ରତିଭା ସମ୍ମାନରେ ସାଇନା ସ୍ନେହାଶିନି, ସିପୁନ ବେହେରା, ଶାନ୍ତିଲତା ବେହେରା, ତପସ୍ୱିନୀ ବାରିକ, ଦେବରାଜ ବେହେରା, ଦେବୀ ପ୍ରସାଦ ନାୟକ ଓ ଆଶାଜ୍ୟୋତି ସୁତାରଙ୍କୁ ସମ୍ମାନିତ କରାଯାଇଥିଲା । ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ଶୁବ୍ରତୋଷ ବେହେରା, ଆଶାଲତା ବାଇ ଓ ରାଜଲକ୍ଷ୍ମୀ ଦେହୁରୀ ଚ୍ୟାମ୍ପିଅନ ହୋଇଥିବାବେଳେ କନିଷ୍ଠ ବିଭାଗରେ ଦିବ୍ୟଜ୍ୟୋତି ବରାଳ ଓ ପ୍ରିୟଙ୍କା ପରିଡ଼ା ସଫଳତା ହାସଲ କରିଥିଲେ । ମୋଟ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଉପସ୍ଥାପନା ସଂସ୍କୃତ ଶିକ୍ଷକ ଶ୍ରୀ ଟୁକୁ ବେହେରା କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ-ଯୁଗଳ କିଶୋର ବେହେରା, ଅର୍ଜୁନ କୁମାର ବେହେରା, ଚିନ୍ତାମଣି ବେହେରା, ନରହରି ନାୟକ, ଶୁଭକାନ୍ତି ବେହେରା, ହିରଣ୍ୟମୟୀ ସାହୁ, ଜ୍ଞାନ ରଞ୍ଜନ ବାରିକ, ଉତ୍କଳିକା ସେଠୀ, ସ୍ମୃତିଶ୍ରୀ ରାଉତ ଓ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀ ଶ୍ରୀଧର ରାଉଳ ଆପ୍ରାଣ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନୋରଞ୍ଜନ କରି ବାର୍ଷିକ ଉତ୍ସବକୁ ସ୍ମରଣୀୟ କରିଥିଲା ।
