*ନୁଆପଡାରେ ନିପୁଣ ଓଡ଼ିଶା ଜିଲ୍ଲା ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ l*
ନୁଆପଡା(ମିଖାଏଲ ନନ୍ଦ)
ତା-୩୧/୦୧
ନୁଆପଡା ଜିଲ୍ଲାରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ୱିତୀୟ ତ୍ରୟମାସିକ ଜିଲ୍ଲା ଷ୍ଟିୟରିଂ କମିଟି କମ୍ ପ୍ରକଳ୍ପ ପରିଚାଳନା (ଡିପିଏମ୍ୟୁ) ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକର ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଦ୍ୟାଳୟଗୁଡ଼ିକରେ ପ୍ରାଚୀର, ଶୌଚାଳୟ, ଅତିରିକ୍ତ ଶ୍ରେଣୀକକ୍ଷ ଓ ରସୋଇଘର ନିର୍ମାଣ, ପାନୀୟଜଳ ଯୋଗାଣ, ରୋଷେଇ ସାମଗ୍ରୀ (କିଚେନ୍ ସେଟ୍) ଯୋଗାଣ ଓ ବିଭିନ୍ନ ସୁବିଧା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଏହି କାମଗୁଡ଼ିକ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସହିତ ଜିଲ୍ଲା ଖଣିଜ ତହବିଲ (DMF) ଓ ନୀତି ଆୟୋଗ ଅଧୀନରେ ଥିବା କିଛି ପ୍ରକଳ୍ପରୁ ପାଣ୍ଠି ବ୍ୟବହାର କରାଯାଇପାରିବ ବୋଲି ଜିଲ୍ଲାପାଳ କହିଥିଲେ।
ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ମାନଙ୍କୁ ଆଗାମୀ ସାତ ଦିନ ମଧ୍ୟରେ ବିଦ୍ୟାଳୟଗୁଡ଼ିକର ଆବଶ୍ୟକତା ସମ୍ପର୍କିତ ବିସ୍ତୃତ ତଥ୍ୟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ପୂର୍ବତନ ଡିପିଏମ୍ୟୁ ବୈଠକର ନିଷ୍ପତ୍ତି ଅନୁସାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାବଳୀ ଉପରେ ସମୀକ୍ଷା ଓ ଆଲୋଚନା ହୋଇଥିଲା।
ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ସିଡିଏମଓ ଡା. ଧନେଶ୍ୱର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ଶିକ୍ଷକ ଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ନରୋତ୍ତମ ଭୋଇ ,ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼ାଇ ସହ ସମସ୍ତ ବି ଇ ଓ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
