*ନୂଆପଡ଼ାରେ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ l ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦତ୍ତ “ଶ୍ରେଷ୍ଠ ନିର୍ବାଚନ ଜିଲ୍ଲା ପୁରସ୍କାର”କୁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କଲେ ଜିଲ୍ଲାପାଳ l*
ନୁଆପଡ଼ା(ମିଖାଏଲ ନନ୍ଦ)
, ତା ,୨୬/୦୧
ନୂଆପଡା ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରଥମେ ଗାନ୍ଧୀଉଦ୍ୟାନ ଠାରେ ମହାତ୍ମାଗାନ୍ଧୀଙ୍କ ଓ ଏକତା ଛକ ଠାରେ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ମିନି ଷ୍ଟାଡିୟମ ଠାରେ ଜାତୀୟ ପତକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ନିରୀକ୍ଷଣ କରିଥିଲେ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ୍ ପାଲ୍ ସିଂଙ୍କ ସହ ମଞ୍ଚରେ ୩୨ ଟି ଦଳର ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ | ଏହି ଅବସରରେ ଜିଲ୍ଲାବାସୀ ଙ୍କୁ ଉଦବୋଧନ ଦେଇ ଦେଶର ମୁକ୍ତି ଆନ୍ଦୋଳନ ଓ ସାଧାରଣତନ୍ତ୍ର ରାଷ୍ଟ୍ର ଭାବରେ ପ୍ରତିଷ୍ଠା କରିବା ଯାଏଁ ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ କୁ ମନେ ପକାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମୁକ୍ତି ସଂଗ୍ରାମରେ ନୂଆପଡ଼ା ମାଟି ଓ ଏହାର ବରପୁତ୍ର ମାନଙ୍କ ଅବଦାନ ସ୍ମରଣ କରିଥିଲେ l ନୂଆପଡା ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ ପ୍ରୟାସ କରିବା ସହିତ ପରିବର୍ଦ୍ଧିତ ଜନଶୁଣାଣି, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ,ଗାଁ ରେ ରାଜସ୍ବ ପ୍ରଶାସନ, ୱାର୍ଡ ରେ ପୌର ପ୍ରଶାସନ,ବିଧବା ସହାୟତା ଅଭିଯାନ ଆଦି କାର୍ଯ୍ୟକ୍ରମ ଓ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟ କାରିତା ଉପସ୍ଥାପନ କରିଥିଲେl ଏହି ଅବସରରେ, ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଦ୍ଵାରା ପ୍ରଦତ୍ତ ଶ୍ରେଷ୍ଠ ନିର୍ବାଚନ ଜିଲ୍ଲା ପୁରସ୍କାରକୁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ।
ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଟ୍ରୁପ୍ ଙ୍କ ଦ୍ବାରା ସୁନ୍ଦର ଦେଶାତ୍ମବୋଧକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ନୃତ୍ୟ , ପ୍ୟାରେଡରେ ଏବଂ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଦଳ ଓ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏହି ସାଧାରଣତନ୍ତ୍ର ଦିବସ ସମାରୋହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ପରେ ଜିଲ୍ଲାପାଳ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଳୟ ଠାରେ ସମ୍ବାଦ ଓ ଆମ ଓଡିଶା ଦ୍ୱାରା ଆୟୋଜିତ ରକ୍ତ ଦାନ ଶିବିରର ଉଦ୍ଘାଟନ କରିଥିଲେ l
ଡାକ୍ତରଖାନା ୱାର୍ଡ, ସ୍ଥାନୀୟ ଜେଲ୍ ଓ ମାନସିକ ଅନଗ୍ରସର ବିଦ୍ୟାଳୟର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଉଦ୍ୟାନ ବିଭାଗ ଦ୍ଵାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପୁଷ୍ପ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।
ଅପରାହ୍ନରେ ଜିଲ୍ଲାପାଳ ଏକାଦଶ, ସାମ୍ବାଦିକ ଏକାଦଶ, ଆରକ୍ଷୀ ଅଧୀକ୍ଷକ ଏକାଦଶ ଓ ବାର ଏସୋସିଏସନ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ସିଲଦା ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଥଲା। ଆରକ୍ଷୀ ଅଧୀକ୍ଷକ ଏକାଦଶ ଏଥିରେ ବିଜେତା ହେଇଥିଲା ବେଳେ ଜିଲ୍ଲାପାଳ ଏକାଦଶ ରନର୍ସଅପ୍ ହୋଇଥିଲେ।
ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ “ଭାରତୀୟମ” ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଆୟୋଜନ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା ଏହାର ଆୟୋଜନ କରିଥିଲେ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୂର୍ମୀ ସୋରେନ୍, ଏ ପି ଡି କ୍ଷମାନିଧି ଭୋଇ ପ୍ରମୁଖ ଏହି ସାଧାରଣତନ୍ତ୍ର ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ଵାସ,ଶିକ୍ଷକ ଶଙ୍କର୍ଷଣ ପୁରୋହିତ, ସହାୟକ ରାଜେଶ ରଞ୍ଜନ ବହିଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ, ଗଣ ମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ ଓ ଜନ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଥିଲେ। ଗଣତନ୍ତ୍ର ଦିବସ ପାଳନ ଅବସରରେ ସମଗ୍ର ଜିଲ୍ଲା ଉତ୍ସବ ମୁଖର ହୋଇଥିଲା l
