
ବୌଦ୍ଧ:- ବୌଦ୍ଧ ଟାଉନ ହଲଠାରେ ଜିଲ୍ଲା ପ୍ରଶାସନ ଓ ବୌଦ୍ଧ ଜଳ ସେଚନ ବିଭାଜନର ମିଳିତ ଆନୁକୁଲ୍ୟରେ ବିଶ୍ବ ଜଳ ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ବିଡିଓ ଯୁଧିଷ୍ଠିର ମେହେର, ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡ଼ଃ ରାମାରାଓ ପାଲୋ, ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ଯୋଗୀନ୍ଦ୍ର ନାଥ ମହାପାତ୍ର ଯୋଗ ଦେଇଥିଲେ l ଚଳିତ ବର୍ଷର ବିଶ୍ବ ଜଳ ଦିବସରେ “ଜଳ ହିଁ ଜୀବନ”, “ଜଳର ସୁରକ୍ଷା କରନ୍ତୁ”, “ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ” ଆଦି ସ୍ଲୋଗାନ ଥିଲା l ବିଶ୍ୱ ପାଇଁ ଜଳ ସଂରକ୍ଷଣ କରିବା ଜରୁରୀ ଅଟେ l ଜଳର ଅଭାବକୁ ଦୂର କରିବା ପାଇଁ ଜଳ ସଂରକ୍ଷଣ, ଆଡିବନ୍ଧ ନିର୍ମାଣ, ଜଳ ଉତ୍ସ ଆଦିରେ ଜଳକୁ ସଂରକ୍ଷିତ ରଖିବା, ମହାନଦୀର ଜଳକୁ ପ୍ରଦୂଷିତ ହେବାକୁ ନ ଦେବା, ଅଳିଆ, ଆବର୍ଜନା, ଅଇଁଠା ବାସନ, କପଡ଼ା, ବାସୀ ଖାଦ୍ୟ, ଠାକୁରଙ୍କ ଫୁଲ ଆଦି ନଦୀ ଜଳରେ ନ ପକାଇବା, ଘରେ ମଧ୍ଯ ପାଣି ଅଯଥାରେ ନଷ୍ଟ ନ କରିବା ଆଦି ସମ୍ପର୍କରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ବୌଦ୍ଧ ଜଳ ସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ନରେଶ କୁମାର ବାରିକ ସମସ୍ତଙ୍କୁ ସ୍ୱାଗତ କରି ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଉକ୍ତ ବୈଠକରେ ଉଠା ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଯୋଗେନ୍ଦ୍ର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ବିଭିନ୍ନ ପାଣି ପଞ୍ଚାୟତର ସଦସ୍ୟ, ସଦସ୍ୟା, ମିଶନ ଶକ୍ତି ସଦସ୍ୟା, ତପସ୍ୱିନୀ ପରିବାରର ସଦସ୍ୟା, ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ l ପରେ ପାଣି ପଞ୍ଚାୟତର ସଦସ୍ୟମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ମାଆ ପୂର୍ଣ୍ଣମାସୀ ପାଲା ଦଳ, ବ୍ରାହ୍ମଣୀ ନାୟିକା – ଦୀପ୍ତି ମିଶ୍ର ଓ ସାଥିମାନେ ପାଲା ପରିବେଷଣ କରିଥିବା ବେଳେ ମହାବୀର ଦାସକାଠିଆ ଦଳ- କରୁଣାକର ଓ ସାଥି ଦାସକାଠିଆ ପରିବେଷଣ କରିଥିଲେ l ଉକ୍ତ ସଚେତନତା ଧର୍ମୀ ପାଲାକୁ ଅତିଥିମାନେ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ l