ରେଢ଼ାଖୋଲ ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ପଡି ରହିଛି ଧାନ, ଚାଷୀ ହନ୍ତସନ୍ତ।
# ଆନ୍ଦୋଳନରେ ଚାଷୀ, ପ୍ରଶାସନ ଉପରେ ବର୍ଷିଲେ ଚାଷୀ।
ରେଢ଼ାଖୋଲ 6/1/26(ଭଂଜଦୂତ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ଧାନ ଉଠାଣ ନ ହେବାରୁ ଚାଷୀମାନେ ଅସହ୍ୟ ଯନ୍ତ୍ରଣା ଓ ଅନିଶ୍ଚିତତାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ଦିନ ଧରି ମଣ୍ଡିରେ ଧାନ ପଡି ରହିଥିବା ସତ୍ୱେ କୌଣସି ସଠିକ ବ୍ୟବସ୍ଥା ନ ହେବାରୁ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି।
ଚାଷୀମାନଙ୍କ କହିବା ଅନୁସାରେ, ମଣ୍ଡିରେ ବହୁ ମାତ୍ରାରେ ଧାନ ବସ୍ତା ପଡି ରହିଛି। ଶୀତ, କାକର ଓ କୁହୁଡ଼ି ମଧ୍ୟରେ ଦିନ ରାତି ଧାନ ଜଗି ରହିବାକୁ ପଡୁଛି। କେବଳ ଧାନ ନୁହେଁ, ଚାଷୀଙ୍କ ଧୈର୍ଯ୍ୟ ଓ ଆଶା ମଧ୍ୟ ମଣ୍ଡିରେ ଆସ୍ତେ ଆସ୍ତେ ଶୁଖି ଯାଉଛି। କିନ୍ତୁ ପ୍ରଶାସନ ଏଥିରେ ନିଷ୍କ୍ରିୟତା ସହ ଆଶ୍ୱାସନ ଦେଇ ଚାଲିଛନ୍ତି। ଆମେ ଆଉ କେତେ ଦିନ ଏଭଳି ଜଗି ରହିବୁ। ଚାଷୀ ମାନଙ୍କ ଅଭିଯୋଗ, ଏତେ ଦିନ ହେବା ସତ୍ୱେ ପ୍ରଶାସନ ପକ୍ଷରୁ ନିଷ୍କ୍ରିୟତା ପ୍ରକାଶ ପାଉଛି ବୋଲି ଚାଷୀ ମାନେ କହିଥିଲେ। ଯଦି ସମୟରେ ଧାନ ଉଠାଣ ନ ହୁଏ, ତେବେ ଧାନ ନଷ୍ଟ ହେବା ସହ ଚାଷୀମାନେ ଭାରୀ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଚାଷୀମାନେ ଦାବି କରୁଛନ୍ତି ଯେ ସମସ୍ତ ଧାନ ଶୀଘ୍ର ଉଠାଣ ହେଉ ଏବଂ ଆଗାମୀ ଦିନରେ ଏଭଳି ସମସ୍ୟା ପୁଣି ନ ହେବାକୁ ସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ଦାବୀ କରିଥିଲେ।
