ଘନ କୁହୁଡ଼ି ପ୍ରଭାବରେ,ଘର ମଧ୍ଯକୁ ପଶିଗଲା ଭ୍ୟାନ୍।
ଢେଙ୍କାନାଳ –
ପ୍ରବଳ ଥଣ୍ଡା ତା’ ସାଙ୍ଗକୁ ଘନ କୁହୁଡ଼ି ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ନୂଆବର୍ଷରେ ଦିନ ପ୍ରାୟ ୧୧ଟା ପର୍ଯ୍ୟନ୍ତ କୁହୁଡ଼ି ଆସ୍ତରଣ ଜିଲ୍ଲାକୁ ଢାଙ୍କି ରଖିଥିଲା। ଗତ କିଛିଦିନ ଧରି ପୂର୍ବାହ୍ନ ପ୍ରାୟ ୧୧ପର୍ଯ୍ୟନ୍ତ କୁହୁଡ଼ି ଆସ୍ତରଣ ରହୁଛି। ବୁଧବାର ଓ ଗୁରୁବାର ସକାଳେ ଘନକୁହୁଡ଼ି ଦେଖାଦେଇ ଥିବାବେଳେ ଦୃଶ୍ୟମାନ ଦୂରତା ୨୦ ମିଟରରୁ ବି କମ୍ ରହିଥିଲା। ଯାହାକୁ ନେଇ ଗାଡ଼ିମଟର ଚଳାଚଳରେ ସମସ୍ୟା ଦେଖାଦେଇଥିଲା। କୁହୁଡ଼ି ଯୋଗୁଁ ଦୁର୍ଘଟଣା ମଧ୍ଯ ଘଟୁଛି। ଭୋର୍ ସମୟରେ ଢେଙ୍କାନାଳ-କପିଳାସ ରାସ୍ତାର ଭଗବାନପୁର ନିକଟରେ ଏକ ଘର ମଧ୍ୟକୁ ପିକ୍ଅପ୍ ଭ୍ୟାନ୍ ( ଓଡି଼୦୪ଟି୦୦୮୪) ପଶି ଯାଇଥିଲା। ରାସ୍ତାକଡ଼ରେ ରହିଥିବା ଏହି ଟାଇଲ୍ ଘର ମଧ୍ୟରେ କେହି ଶୋଇନଥିବାରୁ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଥିଲା। ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଚାଳକ ଫେରାର୍ ହୋଇଯାଇଛି। ଘନକୁ ହୁଡ଼ି ଯୋଗୁଁ ରାସ୍ତା ଠିକ୍ରେ ଦୃଶ୍ୟମାନ ନହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ସକାଳେ ଟାଉନ୍ ଥାନା ପୁଲିସ୍ ପହଞ୍ଚି ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।
