ସୋର ତହସିଲଦାରଙ୍କ ଦ୍ୱାରା ଇଟାଭାଟି ଯାଞ୍ଚ
ସୋର(ଜ୍ୟୋତିପ୍ରକାଶ, ନିପ୍ର, ଭଞ୍ଜଦୂତ) : ସୋର ତହସିଲଦାର ଭାବରେ ଦାୟିତ୍ୱରେ ଯୋଗ ଦେବା ଠାରୁ ଦୈତାରୀ ମଲ୍ଲିକ ଯେପରି ବେଆଇନ ପଥର, ବାଲି ଖାଦାନ, ମାଫିଆଙ୍କ ପାଇଁ ଦୁଃସ୍ବପ୍ନ ପାଲଟି ଯାଇଥିବା ବେଳେ ଏବେ ବେଆଇନ ଇଟା ଭାଟି ମାଲିକଙ୍କ ଉପରେ ଆରମ୍ଭ ହୋଇଛି ଆକ୍ସନ। ସୋର ତହସିଲ ଅଧିନ ବିଭିନ୍ନ ଗ୍ରାମାଞ୍ଚଳ ଓ ଜଙ୍ଗଲ ପାଦ ଦେଶରେ ଛତୁ ଫୁଟିଲା ଭଳି ବେଆଇନ ଇଟାଭାଟି ଗୁଡିକ ଗଢ଼ି ଉଠିଛି। ଏ ନେଇ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଅଭିଯୋଗ ପାଇ ଆଜି ମଧ୍ୟାହ୍ନରେ ସୋର ତହସିଲଦାର ଦୈତାରି ମଲ୍ଲିକ ଓ ଅତିରିକ୍ତ ତହସିଲଦାର ସଞ୍ଜିବ କୁମାର ପାତ୍ର ବିଭିନ୍ନ ବେଆଇନ ଇଟା ଭାଟିରେ ବୁଲିଥିବା ଜଣାପଡିଛି। ଏହି ସମୟରେ ଇଟା ଭାଟିର ମାଲିକ ମାନେ ଚମ୍ପଟ ମାରିଥିବା ବେଳେ କାମ କରୁଥିବା ଶ୍ରମିକଙ୍କୁ କାମ ବନ୍ଦ କରିବାକୁ ନିର୍ଦେଶ ଦେବା ସହିତ ୭ ଦିନ ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ତହସିଲରେ ପୈଠ କରିବାକୁ ନିର୍ଦେଶ ଦେଇଥିଲେ। ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ନିଜ ନିଜ ଅଞ୍ଚଳରେ ଗଢିଉଠିଥିବା ଏହି ବେଆଇନ ଇଟାଭାଟି ଗୁଡିକୁ ନୋଟିସ ଜାରି କରିବାକୁ ତହସିଲଦାର ଶ୍ରୀ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ସମସ୍ତ ବେଆଇନ ଇଟାଭାଟିକୁ ବନ୍ଦ କରିବାକୁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ମଲିକ ସୂଚନା ଦେଇଛନ୍ତି।
