ଅସମୟରେ ଲିଭି ଗଲା ଦିଲ୍ଲୀପଙ୍କ ଜୀବନ ଦୀପ : ଘରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) : ଅସମୟରେ ଲିଭି ଗଲା ଯୁବକଙ୍କ ଜୀବନ ଦୀପ। ଯେଉଁ ବୟସରେ ବାପା ମାଆଙ୍କ ପାଇଁ ସାହାରା ହେବା କଥା ସେହି ବୟସରେ ଚାଲିଗଲା ଜୀବନ। ବାପା ମାଆଙ୍କ ଏକ ମାତ୍ର ପୁଅ କୌଣସି କାରଣରୁ ନିଜ ଜୀବନ ହାରି ଦେଇଛି। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଆଜି ସୋର ସହରକୁ ସ୍ତବ୍ଧ କରିଦେଇଛି। ଘଟଣା ଅନୁସାରେ ସୋର ଥାନା କମରପୁରର ଦିଲ୍ଲୀପ ରାୟ (୪୦) ଆଜି ମଧ୍ୟାହ୍ନରେ ଶୋଇବା ଘର ଫ୍ୟାନରେ ବେକରେ ଏପ୍ରୋନ ଲଗାଇ ଝୁଲିପଡିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକଙ୍କ ସହ ସ୍ଥାନୀୟ ଦୋକାନୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
