ତାଳଚେରରେ ସତ୍ୟ ସନାତନୀ ସଂଘଠନର ବନ୍ଧୁ ମିଳନ ଅନୁଷ୍ଠିତ
ହିନ୍ଦୁ ଧର୍ମ ପ୍ରଚାର ଓ ସମାଜ ସେବା ମୁଖ୍ୟ ଲକ୍ଷ୍ୟ
ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳରେ “ସତ୍ୟ ସନାତନୀ ସଂଘଠନ, ତାଳଚେର” ନାମରେ ଏକ ଭବ୍ୟ ବନ୍ଧୁ ମିଳନ ଅନୁଷ୍ଠାନ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଅନୁଷ୍ଠାନରେ ଅଞ୍ଚଳର ବହୁ ସଂଖ୍ୟକ ସନାତନୀ ଚିନ୍ତାଧାରାର ଲୋକ, ସମାଜ ସେବୀ ଓ ସଂଘଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସଂଘଠନର ଭବିଷ୍ୟତ ଦିଗ ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ଜିଲ୍ଲା ବିଜେପିର ଉପ-ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସନାତନୀ ଧର୍ମର ମହତ୍ତ୍ୱ, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମତବ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସନାତନ ଧର୍ମ କେବଳ ଏକ ଧର୍ମ ନୁହେଁ, ବରଂ ଏହା ଜୀବନ ଯାପନର ଏକ ମାର୍ଗ, ଯାହା ସେବା, ସତ୍ୟ ଓ ମାନବତାର ଶିକ୍ଷା ଦେଇଥାଏ।
ଅନୁଷ୍ଠାନରେ ଉପସ୍ଥିତ ବୁଦ୍ଧିଜୀବୀ, ବରିଷ୍ଠ କର୍ମକର୍ତ୍ତା ଓ ସମାଜ ସେବୀମାନେ ସଂଘଠନର କାର୍ଯ୍ୟକଳାପକୁ ସମର୍ଥନ କରି ଏହାକୁ ଆହୁରି ସକ୍ରିୟ ଓ ସୁସଂଗଠିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।
ସଂଘଠନର ସଭାପତି ଶ୍ରୀ ପଦ୍ମନ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, “ସତ୍ୟ ସନାତନୀ ସଂଘଠନ”ର ମୂଳ ଲକ୍ଷ୍ୟ ହେଉଛି ହିନ୍ଦୁ ଧର୍ମର ପ୍ରଚାର ଓ ପ୍ରସାର, ଗରିବ ଓ ଅସହାୟ ଲୋକମାନଙ୍କୁ ସେବା ଯୋଗାଇବା, ଗୋସେବା କାର୍ଯ୍ୟକ୍ରମ ଚାଲୁ କରିବା, ରକ୍ତଦାନ ଶିବିର ଆୟୋଜନ ସହିତ ସମାଜର ହିତରେ ବିଭିନ୍ନ ସେବାମୂଳକ କାର୍ଯ୍ୟ କରିବା।
ଅନୁଷ୍ଠାନର ଶେଷ ପର୍ଯ୍ୟାୟରେ ସଂଘଠନକୁ ଆହୁରି ସଦୃଢ଼ କରିବା, ସନାତନୀ ମୂଲ୍ୟବୋଧକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଏବଂ ଆଗାମୀ ଦିନରେ ସେବାମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ କାର୍ଯ୍ୟକରୀ କରିବା ପାଇଁ ସମସ୍ତ ସଦସ୍ୟ ଶପଥ ପାଠ କରିଥିଲେ।
ଏହି ବନ୍ଧୁ ମିଳନ ଅନୁଷ୍ଠାନ ସଫଳ ଓ ଶୃଙ୍ଖଳାବଦ୍ଧ ଭାବେ ସମାପ୍ତ ହୋଇଥିବା ବେଳେ, ଆଗାମୀ ଦିନରେ ସଂଘଠନ ତାଳଚେର ଅଞ୍ଚଳରେ ସାମାଜିକ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ ପାଇଛି।
