ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ନାବାଳକ।
ଗଜପତି (ଟିକି ଲିମା)
ଦିନକୁ ଦିନ ସମାଜରେ ଯୁବବର୍ଗ ପଥଭ୍ରଷ୍ଟ ହୋଇ ଚୋରି, ହତ୍ୟା ଆଦି ବିଭିନ୍ନ ସଙ୍ଗିନ ଅପରାଧ ଘଟାଇବାରେ ଲାଗିଛନ୍ତି। ସେଇଭଳି ଏକ ହତ୍ୟା ମାମଲା ଗତବର୍ଷ ଜୁନ ମାସରେ ଆର. ଉଦୟଗିରି ଥାନା ଅଧିନରେ ଘଟିଯାଇଥିଲା; ଯେଉଁ ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡର ମାନ୍ୟବର ରେଜିଷ୍ଟ୍ରାର ତଥା ମୁଖ୍ୟ ମାଜିଷ୍ଟ୍ରେଟ ପ୍ରସନ୍ନ କୁମାର ବେହେରା ନାବାଳକ ଅଭିଯୁକ୍ତଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ ଛଅ ମାସ ପର୍ଯ୍ୟନ୍ତ ବ୍ରହ୍ମପୁର ସ୍ଥିତ ସ୍ୱଧାର ଗୃହରେ ରହିବା ନିମନ୍ତେ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆସୋସିଏଟ ପବ୍ଲିକ ପ୍ରସିକ୍ୟୁଟର ପି. ପ୍ରସାଦ ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଜୁନ ମାସରେ ଆର. ଉଦୟଗିରି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହି ମାମଲା ମୁତାବକ ଅଭିଯୁକ୍ତ ନାବାଳକଜଣକ ସନ୍ଧ୍ୟା ସମୟରେ ଅଭିଯୋଗକାରିଣୀ ରୋଷେଇ କରୁଥିବା ସମୟରେ ଏକ ଟେକା ପକାଇଥିଲେ ଓ ପରେ ସେ ଘର ଭିତରକୁ କୌଶଳ କ୍ରମେ ପଶିଯାଇ ଅଭିଯୋଗକାରିଣୀଙ୍କୁ ଅସଦାଚରଣ କରିବା ସମୟରେ ଅଭିଯୋଗକାରିଣୀ ଖସି ପଳାଇଥିଲେ କିନ୍ତୁ ତାଙ୍କ ପଛରେ ଅଭିଯୁକ୍ତଜଣଙ୍କ ଏକ କାଠ ଫାଳିଆ ଧରି ଗୋଡ଼ାଇଥିଲେ। ପରେ ନିଜ ଭଉଣୀଙ୍କୁ ରକ୍ଷା କରିବାକୁ ଯାଇ ଭାଇ ଅଭିଯୁକ୍ତ ନାବାଳକର ଆକ୍ରୋଶର ଶିକାର ହୋଇଥିଲେ ଓ ଅଭିଯୁକ୍ତ ଜଣଙ୍କ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ମାରିଥିଲେ। ପରେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ଏତଲା ଲେଖାଯିବା ପରେ ତଥା ମାମଲାର ବିଚାରଣା ସମୟରେ ଅଭିଯୋଗକାରିଣୀଙ୍କ ଭାଇ ଜୀବନ ସଂଗ୍ରାମରେ ହାରିଯାଇ ନିଜର ପ୍ରାଣତ୍ୟାଗ କରିଥିଲେ। ତେଣୁ ପରେ ଏହି ମାମଲା ହତ୍ୟା ମାମଲାକୁ ପରିବର୍ତ୍ତିତ ହୋଇଥିଲା। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆର. ଉଦୟଗିରି ଥାନାର ଏସ.ଆଇ. ବାବୁଲାଲ ରାଉଳ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ୧୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଦେଢ଼ ବର୍ଷର ସଜା ଶୁଣାଇଛନ୍ତି।
ଘଟଣାର ଗମ୍ଭୀରତା ତଥା ନାବାଳକ ଅଭିଯୁକ୍ତର ଭବିଷ୍ୟତକୁ ନଜରରେ ରଖି ସେମାନଙ୍କ ନାମ ପ୍ରକାଶ ନ କରିବାକୁ ଉକ୍ତ ବିଚାରରେ ଉଲ୍ଲେଖ କରାଯାଇଛି।
